ଆପଣଙ୍କ ଅଣଜେଜେ ଚୀନ୍‌କୁ ‘ୟୁଏନ୍‌ଏସ୍‌ସି’ ଆସନ ଉପହାର ଦେଇଥିଲେ: ରାହୁଳଙ୍କୁ କହିଲା ବିଜେପି

ନୂଆଦିଲ୍ଲୀ: ଆତଙ୍କବାଦୀ ମାସୁଦ ଆଝାରଙ୍କ ପ୍ରତି ଚୀନ୍‌ର ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ବିଦ୍ରୂପ କରିବାର କେଇ ମିନିଟ୍‌ ପରେ ଭାରତୀୟ ଜନତା ପାର୍ଟି କହିଛି: ତାଙ୍କ ଅଣଜେଜେ ଜବାହରଲାଲ୍‌ ନେହେରୁ ହିଁ ଚୀନ୍‌କୁ ଜାତିସଂଘ ସୁରକ୍ଷା ପରିଷଦ୍‌ର ଆସନ ଉପହାର ଦେଇଥିଲେ। ବିଜେପି ଟୁଇଟ୍‌ କରିଛି: ଭାରତର ମୂଲ୍ୟ ବିନିମୟରେ ଯଦି ଆପଣଙ୍କ ଅଣଜେଜେ ଏହାକୁ ‘ଉପହାର’ ଦେଇ ନ ଥାନ୍ତେ ଚୀନ୍‌ କଦାପି ‘ୟୁଏନ୍‌ଏସ୍‌ସି’ ଆସନରେ ନ ଥାଆନ୍ତା। ତୁମ ପରିବାରର ସବୁ ଭୁଲ୍‌କୁ ଭାରତ ସୁଧାରୁଛି।

ବିଜେପି ଆହୁରି କହିଛି ଯେ ରାହୁଳ ଗାନ୍ଧୀ ଏ କଥା ମୋଦିଙ୍କ ହାତରେ ଛାଡ଼ି ଦେଇ ଗୋପନରେ ଚୀନ୍‌ ଦୂତମାନଙ୍କ ସହ ଘନିଷ୍ଠତା କରନ୍ତୁ।
ପୂର୍ବରୁ ଆଜି ପ୍ରତ୍ୟୁଷରେ ରାହୁଳ ଗାନ୍ଧୀ ମୋଦିଙ୍କୁ ବିଦ୍ରୂପ କରି କହିଥିଲେ: ଦୁର୍ବଳ ମୋଦି ଜି’ଙ୍କୁ ଭୟ କରୁଛନ୍ତି। ଚୀନ୍‌ ଭାରତ ବିରୋଧରେ କାମ କରୁଥିବା ବେଳେ ତାଙ୍କ ପାଟିରୁ କଥା ବାହାରୁ ନାହିଁ। ମୋଦିଙ୍କ ଚୀନ୍‌ କୂଟନୀତିକୁ ସମାଲୋଚନା କରି ରାହୁଳ ଲେଖିଥିଲେ: ନମୋଙ୍କ ଚୀନ୍‌ କୂଟନୀତି: ଜୀଙ୍କ ସଙ୍ଗରେ ଗୁଜରାଟରେ ଦୋଳି ଖେଳ, ଦିଲ୍ଲୀରେ ଜୀଙ୍କୁ ଆଲିଙ୍ଗନ, ଚୀନ୍‌ରେ ଜୀଙ୍କୁ ଦଣ୍ଡବତ।

ୟୁଏନ୍‌ଏସ୍‌ସି ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ପ୍ରସ୍ତାବକୁ ପୁଣି ଚୀନ୍‌ ବିରୋଧ କରିବା ପରେ ରାହୁଳ ଏ ଭଳି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର