ଅସହ୍ୟ ହେଉଛି ଆପଣଙ୍କ ନିରବତା, ଘୃଣା ରାଜନୀତିର ଅବସାନ ଘଟାନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ଚିଠି‌ ଲେଖିଲେ ୧୦୦ଜଣ ପୂର୍ବତନ ଅମଲା

ନୂଆଦିଲ୍ଲୀ: ଆପଣଙ୍କ ମୌନତା ଅସହ୍ୟ ହେଉଛି, ଘୃଣା ରାଜନୀତିର ଅବସାନ ଘଟାନ୍ତୁ ବୋଲି ଅନୁରୋଧ କରି ଶତାଧିକ ପୂର୍ବତନ ଅମଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି।

ଉକ୍ତ ଚିଠିରେ ପୂର୍ବତନ ଜାତୀୟ ନିରାପତ୍ତା ଉପଦେଷ୍ଟା ଶିବଶଙ୍କର ମେନନ୍‌, ପୂର୍ବତନ ବୈଦେଶିକ ସଚିବ ସୁଜାତା ସିଂହ, ପୂର୍ବତନ ଗୃହ ସଚିବ ଜି.କେ. ପିଲାଇ, ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗ୍‌ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରମୁଖ ସଚିବ ଟିକେଏ ନାୟର୍‌ଙ୍କ ସମେତ ୧୦୮ଜଣ ପୂର୍ବତନ ଅମଲାଙ୍କ ସ୍ବାକ୍ଷର ରହିଛି।

Image Courtesy of Rediff.com

ଏହି ଚିଠିରେ ସେମାନେ ଦେଶର ରାଜନୈତିକ ପରିସ୍ଥିତି ଉପରେ ଆଶଙ୍କା ପ୍ରକଟ କରିବା ସହ କହିଛନ୍ତି ଯେ, ଆମେ ଅଭୁତପୂର୍ବ ବିପଦର ସମ୍ମୁଖୀନ ହେଉଛୁ। ଏହା କେବଳ ସାମ୍ବିଧାନିକ ନୈତିକତା ଏବଂ ଆଚରଣ ବିପଦଗ୍ରସ୍ତ ହେଉନାହିଁ। ଆମର ମହାନ୍‌ ସଭ୍ୟତାରୁ ଉତ୍ତରାଧିକାରସୂତ୍ରରେ ମିଳିଥିବା ସାମାଜିକ ବ୍ୟବସ୍ଥା ଯାହାକୁ ସଂରକ୍ଷିତ ରଖିବା ଲାଗି ଆମ ସମ୍ବିଧାନକୁ ସାବଧାନତାର ସହ ପ୍ରସ୍ତୁତ କରାଯାଇଛି, ମଧ୍ୟ ଖଣ୍ଡବିଖଣ୍ଡ ହୋଇଯାଉଛି। ଏଭଳି ଭୟଙ୍କର ସାମାଜିକ ବିପତ୍ତି ବେଳେ ଆପଣଙ୍କ ମୌନତା ଅସହ୍ୟ ହେଉଛି।

ଘୃଣା ରାଜନୀତିର ଅବସାନ କରାଇବାକୁ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ଚଳିତ ବର୍ଷ ‘ସ୍ବାଧୀନତାର ଅମୃତ ମହୋତ୍ସବ’ରେ ଦଳମତରୁ ଊର୍ଦ୍ଧ୍ବକୁ ଯାଇ ପ୍ରଧାନମନ୍ତ୍ରୀ ଘୃଣା ରାଜନୀତିର ଅବସାନ ଘଟାଇବେ ବୋଲି ସେମାନେ ଆଶା କରିଛନ୍ତି।

ସମ୍ବନ୍ଧିତ ଖବର