କାହାକୁ ବୋକା ବନଉଛ ?” ଆମେରିକାକୁ କହିଲେ ଜୟଶଙ୍କର

ନୂଆଦିଲ୍ଲୀ : ପାକିସ୍ତାନକୁ ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ ପାଇଁ ୪୫୦ ନିୟୁତ ଡଲାରର  ସହାୟତା ପ୍ରଦାନ ପ୍ରସଙ୍ଗରେ ପୁଣି ଆମେରିକାକୁ ସମାଲୋଚନା କରିଛି ଭାରତ ।

ଓ୍ବାସିଂଟନଠାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଆମେରିକା କହୁଛି ଯେ ଆତଙ୍କବାଦ ନିରୋଧୀ ଅଭିଯାନ ପାଇଁ ଏଫ-୧୬ ଯୋଗାଣ ହେଉଛି, କିନ୍ତୁ ସମସ୍ତଙ୍କୁ ଜଣାଅଛି ଯେ ଏଫ-୧୬ ପରି ବିମାନର କ୍ଷମତା କଣ ଓ ସେଗୁଡ଼ିକ କେଉଁଠାରେ ମୁତୟନ ହେଉଛି ଓ ତାହାର ବ୍ୟବହାର କଣ । ଏଣୁ ଆମେରିକା କାହାକୁ ବୋକା ବନଉଛି ?

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଓ ପାକିସ୍ତାନ ସଂପର୍କ ଆମେରିକାର ହିତ ସାଧନ କରୁନାହିଁ ।

ଚଳିତ ମାସ ଆରମ୍ଭରେ ଆମେରିକାର ଜୋ ବାଇଡେନ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ସରଞ୍ଜାମ ବିକ୍ରିକୁ ମଂଜୁରୀ ଦିଆଯାଇଛି । ଏହା ମାଧ୍ୟମରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏହି ସହାୟତା ମାଧ୍ୟମରେ ପାକିସ୍ତାନି ନିଜର ଏଫ-୧୬ ଲଢୁଆ ବିମାନଗୁଡ଼ିକୁ ବର୍ତ୍ତମାନ ଓ ଭବିଷ୍ୟତର ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତ କରିପାରିବ ବୋଲି ବାଇଡେନ ପ୍ରଶାସନ କହିଛି । କିନ୍ତୁ ପାକିସ୍ତାନକୁ ଏହି ସାମରିକ ସହାୟତା ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଏ ସପର୍କରେ ଆମେରିକାର ଉପ-ପରରାଷ୍ଟ୍ର ସଚିବ (ଦକ୍ଷିଣ ଓ କେନ୍ଦ୍ର ଏସିଆ) ଡୋନାଲ୍ଡ ଲୁ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ  ପାକିସ୍ତାନକୁ କୌଣସି  ଅନୁଦାନ ଦିଆଯାଉନାହିଁ । ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ଯନ୍ତ୍ରାଂଶ ବିକ୍ରି କରାଯିବ । କିନ୍ତୁ ଆମେରିକାର ଏହି ସ୍ପଷ୍ଟୀକରଣ ଭାରତକୁ ସନ୍ତୁଷ୍ଟ କରିପାରିନାହିଁ ।

 

 

 

ସମ୍ବନ୍ଧିତ ଖବର