ଯୁବପିଢ଼ି ‌ଦେଶର ସମ୍ପତ୍ତି, ବିଜେପି ସେମାନଙ୍କୁ ବୋଝ ବୋଲି ଦର୍ଶାଉଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପୁଣି ରାହୁଲଙ୍କ ଟା‌ର୍ଗେଟରେ ବିଜେପି। ପୂର୍ବରୁ ବିଜେପିର ଅନେକ ଘୋଷଣାର ସମାଲୋଚନା କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ପୁଣି ଥରେ ବିଜେପି ଉପରେ ବଡ଼ ଆରୋପ ଲଗାଇଛନ୍ତି। ବିଜେପି ଦେଶର ଯୁବପିଢ଼ିଙ୍କୁ ବୋଝ ବୋଲି ଭାବୁଥିବା କହିଛନ୍ତି ରାହୁଲ।  ବେରୋଜଗାରୀ ସମସ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିନ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ଯୁବପିଢ଼ି ଦେଶର ସମ୍ପତ୍ତି, କିନ୍ତୁ ଶାସକ ଦଳ ସେମାନଙ୍କୁ ବୋଝ ଭାବରେ ଦର୍ଶାଉଛି।

ତାଙ୍କ କହିବା ମୁତାବକ, ଗତ ଆଠ ବର୍ଷ ମଧ୍ୟରେ ସରକାରୀ ଚାକିରି ପାଇଁ ଧାଡ଼ି ବାନ୍ଧିଥିବା ୨୨କୋଟି ଯୁବକଙ୍କ ମଧ୍ୟରୁ ୭.୨୨ ଲକ୍ଷ ଚାକିରି ପାଇଛନ୍ତି, ଅର୍ଥାତ୍ ୧୦୦୦ମଧ୍ୟରୁ କେବଳ ତିନିଜଣଙ୍କୁ ଚାକିରି ମିଳିଛି। ବେରୋଜଗାର ବିଷୟରେ ପ୍ରଶ୍ନ ପଚରାଯିବା ପରେ ରାଜା ରାଗି ଯାଉଛନ୍ତି। ସତ କଥାଟା ହେଲା, ସେ ରୋଜଗାର ଯୋଗାଇବାରେ ସକ୍ଷମ ନୁହଁନ୍ତି। ଯୁବପିଢ଼ି ଦେଶର ସମ୍ପତ୍ତି, କିନ୍ତୁ ଶାସକ ଦଳ ସେମାନଙ୍କୁ ବୋଝ ଭାବରେ ଦର୍ଶାଉଛି।

ବେରୋଜଗାର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ଘେରୁଥିବାବେଳେ ସରକାର କହିଛନ୍ତି ଯେ ଚାକିରି ଯୋଗାଇଦେବାକୁ ପ୍ରଚେଷ୍ଟା ଚାଲିଛି। ତେବେ ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ କେତେଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି ସେନେଇ ବୁଧବାର ସଂସଦରେ ସରକାର ଉତ୍ତର ରଖିଥିଲେ। ସଂସଦରେ ସରକାର କହିଥିଲେ ଯେ ୨୦୧୪ ପରଠାରୁ କେନ୍ଦ୍ର ସରକାରରେ ୭ ଲକ୍ଷ ୨୨ ହଜାର ୩୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏକ ଲିଖିତ ଉତ୍ତରରେ ପର୍ସନାଲ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଚାକିରି ପାଇଁ ୨୨ କୋଟିରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଆଜି ବିଜେପିକୁ ଟ‌ା‌ର୍ଗେଟ କରିଛନ୍ତି ରାହୁଲ।

ସମ୍ବନ୍ଧିତ ଖବର