ୟୁଟ୍ୟୁବ ଭିଡିଓ ଦେଖି ବେଆଇନ ଭାବେ ବନ୍ଧୁକ ତିଆରି କଲେ ଯୁବକ, ବିକ୍ରି କରୁଥିବା ବେଳେ ଧରିଲା ପୁଲିସ

ମୁମ୍ବାଇ: ୟୁଟ୍ୟୁବ ଭିଡିଓ ଦେଖି ବନ୍ଧୁକ ନିର୍ମାଣ କଲା ଯୁବକ | ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ବନ୍ଧୁକ ନିର୍ମାଣ କରାଯାଇଥିବାବେଳେ ଗୁଇନ୍ଦା ସୂତ୍ରରୁ ପୁଲିସ ଖବର ପାଇ ଚଢ଼ାଉ କରିଛି | ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି | ମୁମ୍ବାଇର ନଭି ମୁମ୍ବାଇ ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଏଭଳି ଦୁଇଜଣଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଛତିଶଗଡ଼ ରାୟଗଡ଼ର ଖପଡେ ଗାଁ ଦୁଇଜଣ ଯୁବକ ବର୍ଷେ ତଳେ ୟୁଟ୍ୟୁବ ଭିଡିଓ ଦେଖି ବନ୍ଧୁକ ନିର୍ମାଣ କରିବା ଆରମ୍ଭ କରିଦେଇଥିଲେ |

Photo-Indiatv

ଯେଉଁମାନେ ନିଜ ଘରେ ବନ୍ଧୁକ ରଖିବାକୁ ସଉକ ବୋଲି ଭାବୁଥିଲେ ସେମାନଙ୍କୁ ଏହି ଦୁଇ ଯୁବକ ବନ୍ଧୁକ ବିକୁଥିଲେ | ଠିକ ସେମିତି ବନ୍ଧୁକ ଆଣି ମୁମ୍ବାଇରେ ବିକ୍ରି କରିବାକୁ ଆସିଥିବାବେଳେ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା | ଏମାନଙ୍କ ନିକଟରୁ ୧୦ଟି ବନ୍ଧୁକ ସହ ଗୁଳିଗୋଳା ଜବତ କରାଯାଇଛି | ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ବାବଦରେ ପୁଲିସ ପଚରାଉଚୁରା କରୁଛି |

ସେହିପରି ବନ୍ଧୁକ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଥିବା ବ୍ୟକ୍ତିଙ୍କୁ ପୁଲିସ ଏବେ ଖୋଜୁଛି | ଗିରଫ ଯୁବକଙ୍କ କହିବା ମୁତାବକ ୟୁଟ୍ୟୁବ ଭିଡିଓରେ ବନ୍ଧୁକ ନିର୍ମାଣ କୌଶଳ ଦେଖି ସେମାନେ ବନ୍ଧୁକ ପ୍ରସ୍ତୁତ କରିବାକୁ ମନ ବଳାଇଥିଲେ | ଏହା ପରେ ନିଜ ଗାଁରେ ଛୋଟ ବନ୍ଧୁକ କାରଖାନାଟିଏ କରି ବନ୍ଧୁକ ନିର୍ମାଣ କରୁଥିଲେ |

ସମ୍ବନ୍ଧିତ ଖବର