ବିହାର ମୁଖ୍ୟମନ୍ତ୍ରୀଙ୍କୁ ମୁଥ ମାରିବାକୁ ଯୁବକଙ୍କ ଉଦ୍ୟମ, ମାଡିବସିଲା ପୁଲିସ

ପାଟନା: ବିହାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାବଳୟକୁ ଭେଦ କରି ଆକ୍ରମଣ କରିବାକୁ ଯୋଜନା କରିଥିଲେ ଯୁବକ | ଆଉ ଯୋଜନା ବାସ୍ତବତାର ରୂପ ନେବା ପୂର୍ବରୁ ଧରିଲା ପୁଲିସ | ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମୁଥ ମାରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ପାଟନା ଜିଲ୍ଲାର ବଖତିଆରପୁର ବ୍ଲକରେ ଏଭଳି ଏକ ଘଟଣା ଘଟିଛି |

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାରକେଡ ବଖତିଆରପୁର ବଜାର ଦେଇ ଯାଉଥିଲା। ଏହି ସମୟରେ ରାସ୍ତା କଡ଼ରେ ଉପସ୍ଥିତ ଥିବା ଲୋକମାନେ ନୀତିଶ କୁମାରଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କାରକୁ ଅଟକାଇ ତଳକୁ ଓହ୍ଲାଇ ଲୋକମାନଙ୍କୁ ଭେଟୁଥିବାବେଳେ ଜଣେ ଯୁବକ ତାଙ୍କ ଆଡକୁ ମାଡିଆସିଥିଲେ | ଆଉ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଳ୍ପ କିଛି ଦୂରରେ ଥାଇ ସେ ମୁଥ ମାରିବାକୁ ହାତ ଉଠାଇଥିଲେ |

ଆଉ ଏହା ଦେଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଯୁବକଙ୍କୁ ଅଟକାଇ ସ୍ଥାନୀୟ ପୁଲିସର ଜିମା ଦେଇଥିଲେ | ବର୍ତ୍ତମାନ ସୁଦ୍ଧା ଏହି ଯୁବକଙ୍କ ପରିଚୟ ମିଳିନଥିବାବେଳେ ଏବେ ପୁଲିସ ତାଙ୍କୁ ଅଟକ ରଖିଛି | ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ ସେ ନେଇ ପୁଲିସ ଏବେ ତଦନ୍ତ କରୁଛି |

ସମ୍ବନ୍ଧିତ ଖବର