ଅମୃତସର: କାନାଡା ନିମନ୍ତେ ଭିସା ଆବେଦନ ଖାରଜ ହେବା ଦୁଃଖରେ ପଞ୍ଜାବର ଜଣେ ୧୯ ବର୍ଷୀୟ ଯୁବକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ଷ୍ଟେସନ୍‌ ହାଉସ୍‌ ଅଧିକାରୀ (ଏସ୍‌ଏଚ୍‌ଓ) ଗୁରମିନ୍ଦର ସିଂହ କହିଛନ୍ତି,  ଦିଲପ୍ରୀତଙ୍କ ସମ୍ପର୍କୀୟ କାନାଡାରେ ରହୁଛନ୍ତି। ସେଠାକୁ ଯିବା ନିମନ୍ତେ ସେ ଗତ ୧ ବର୍ଷ ଧରି ଏକାଧିକ ଥର ଭିସା ପାଇଁ ଆବେଦନ କରି ବିଫଳ ହୋଇଥିଲେ। ଶେଷଥର ନିମନ୍ତେ ଶନିବାର ତାଙ୍କ ଭିସା ଆବେଦନ ଖାରଜ ହୋଇଥିବା ଜାଣିଥିଲେ। ରବିବାର, ଏକ ପ୍ରକୋଷ୍ଠରେ ନିଜକୁ ବନ୍ଦ କରିଦେଇଥିଲେ। ଦାଦାଙ୍କ ପଞ୍ଜୀକୃତ ଡବଲ ବ୍ୟାରେଲ୍‌ ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ସମୟରେ ତାଙ୍କର ମା’ ଓ ଜେଜେମା ଅନ୍ୟ ଏକ ପ୍ରକୋଷ୍ଠରେ ଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୪ ଅନୁସାରେ ଏକ ମାମଲା ରୁଜୁ ହୋଇଛି ବୋଲି ଏସ୍‌ଏଚ୍‌ଓ କହିଛନ୍ତି।