କଣ୍ଟ୍ରାକ୍ଟର୍‌ ଆତ୍ମହତ୍ୟା ମାମଲା: ଈଶ୍ବରପ୍ପାଙ୍କୁ ବରଖାସ୍ତ କରିବା ପାଇଁ ଅମିତ ଶାହଙ୍କ ଘର ଆଗରେ ଯୁବ କଂଗ୍ରେସର ଆନ୍ଦୋଳନ

ବେଙ୍ଗାଲୁରୁ: ଦିନକୁ ଦିନ ଘନେଇବାରେ ଲାଗିଛି ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲା। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ତୋଷ ନିଜ ମୃତ୍ୟୁ ପାଇଁ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ। ଏବେ ସନ୍ତୋଷଙ୍କୁ ନ୍ୟାୟ ଦେବା ପାଇଁ ଈଶ୍ବରପ୍ପାଙ୍କ ବରଖାସ୍ତ ଦାବି ଜୋର ଧରିଛି। ତୁରନ୍ତ ତାଙ୍କୁ ବରଖାସ୍ତ କରାଯାଉ ବୋଲି ଦାବି କରି ଯୁବ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘର ଆଗରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି।

ଅନ୍ୟପକ୍ଷରେ ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଏବଂ ତାଙ୍କ ସହଯୋଗୀ ବସବରାଜ ଏବଂ ରମେଶଙ୍କୁ ବୁକ୍‌ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତି ଥିବା ହେତୁ ମନ୍ତ୍ରୀଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ତାଙ୍କୁ ଡକାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଈଶ୍ବରପ୍ପାଙ୍କ ନାମରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ମୁଁ ସମସ୍ତ ସୂଚନା ସଂଗ୍ରହ କରୁଛି। ଫୋନ୍‌ରେ ଈଶ୍ବରପ୍ପାଙ୍କ ସହିତ କଥାବାର୍ତ୍ତା ହେବି ଏବଂ ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବି। ଏବେ ‘ଏଫ୍‌ଆଇଆର୍‌’ ‌ଦାଏର କରାଯାଇଛି। ମୁଁ ତାଙ୍କ ସହିତ କଥାବାର୍ତ୍ତା ହେବି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିବା ଠିକାଦାର ସନ୍ତୋଷ ପାଟିଲ୍‌ ମଙ୍ଗଳବାର ଦିନ ଉଦୁପିର ଗୋଟାଏ ଲଜ୍‌ରୁ ମୃତାବସ୍ଥାରେ ମିଳିଥିଲେ। ଭାଇର ମୃତ୍ୟୁ ନିମନ୍ତେ ଈଶ୍ବରପ୍ପା ଦାୟୀ ବୋଲି ପ୍ରଶାନ୍ତ କହିଛନ୍ତି।

ସେ କହିଛନ୍ତି, ମୋ ଭାଇର ମୃତ୍ୟୁ ପାଇଁ ଈଶ୍ବରପ୍ପା ଦାୟୀ। ସେ ମୋ ଭାଇଙ୍କୁ ଲାଞ୍ଚ ଅର୍ଥାତ୍‌ କମିସନ୍‌ ମାଗୁଥିଲେ। ଏଥିଯୋଗୁଁ ସେ ମାନହାନୀ ମାମଲା ବି ଦାଏର କରିଥିଲେ। ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି।

କୁହାଯାଉଛି, ମୃତ୍ୟୁ ପୂର୍ବରୁ ସନ୍ତୋଷ ପାଟିଲ୍‌ ତାଙ୍କ ବନ୍ଧୁମାନଙ୍କ ନିକଟକୁ ‘ହ୍ବାଟସ୍‌ଆପ୍‌’ ବାର୍ତ୍ତା ପଠାଇଥିଲେ। ସେଥିରେ ସେ ଆତ୍ମହତ୍ୟା କରିବେ ଏବଂ ଏ ଭଳି ଚରମ ନିଷ୍ପତ୍ତି ନିମନ୍ତେ ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର