ନାଗପୁର: ନାଗପୁରର ଇନ୍ଦିରା ଗାନ୍ଧୀ ମେଡିକାଲ ହସ୍ପିଟାଲ ଏବଂ କଲେଜ ପରିସରରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ପ୍ରାୟ ୨୦ ଦିନ ଧରି ବୁର୍ଖା ପିନ୍ଧିଥିବା ଜଣେ ଡାକ୍ତର ରୋଗୀଙ୍କ ସହ କଥାବାର୍ତ୍ତା ହେଉଥିଲେ। କେବଳ ଏତିକି ନୁହେଁ ସେ କିଛି ଲୋକଙ୍କ ସହ ମଧ୍ୟ ବନ୍ଧୁତା କରିଥିଲେ। ତେବେ ଡାକ୍ତରଖାନାରେ ଥିବା ଜଣେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହିଁ ବୁର୍ଖା ପିନ୍ଧିଥିବା ଡାକ୍ତରଙ୍କ ଅସଲ ମୁଖା ଖୋଲିଦେଇଛି | ମିଳିଥିବା ସୂଚନା ମୁତାବକ ବୁର୍ଖା ପିନ୍ଧିଥିବା ଏହି ଯୁବକଙ୍କୁ ସୁରକ୍ଷାକର୍ମୀ ଅଟକ ରଖି ଯେତେବେଳେ ତାଙ୍କ ନାମ ପଚାରିଥିଲେ ପ୍ରଥମେ ସେ ତାଙ୍କ ନାମ ଆୟେସା ବୋଲି କହିଥିଲେ | ଏହାପରେ ଯେତେବେଳେ ତାଙ୍କର ବୁର୍ଖା ଖୋଲାଯାଇଥିଲା, ସେ ଜଣେ ଯୁବକ ବୋଲି ଜଣାପଡିଥିଲା | ପ୍ରକୃତରେ ତାଙ୍କ ନାମ ଜାଭେଦ ହୋଇଥିବାବେଳେ ଏବାବଦରେ ଜଣାପଡିବା ପରେ ଡାକ୍ତରଖାନା ପ୍ରଶାସନ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ ।
ସୂଚନା ଅନୁଯାୟୀ ଅଭିଯୁକ୍ତ ଯୁବକ ଜାଭେଦ୍, ବୃତ୍ତି ଅନୁଯାୟୀ ଜଣେ କମ୍ପ୍ୟୁଟର ମେକାନିକ୍। ପୁଲିସର ପଚରାଉଚରାରୁ ଜଣାପଡିଛି ଯେ ସେ ଜଣେ ସମଲିଙ୍ଗୀ ହୋଇଥିବାବେଳେ ପୁରୁଷଙ୍କ ସହ ବନ୍ଧୁତା ପାଇଁ ଡାକ୍ତରଖାନାକୁ ଆସୁଥିଲେ। ଅଭିଯୁକ୍ତ ଜାଭେଦ୍ ଗତ ୨୦ ଦିନ ଧରି ବୁର୍ଖା ସହ ଡାକ୍ତରଙ୍କ ଆପ୍ରୋନ୍ ପିନ୍ଧି ରୋଗୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ଅଧିକାଂଶ ପୁରୁଷ ରୋଗୀଙ୍କ ପ୍ରତି ଧ୍ୟାନ ଦେଉଥିଲେ। ସେ ଡାକ୍ତରଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ। ବୁର୍ଖା ପିନ୍ଧିଥିବାରୁ କେହି ତାଙ୍କ ବାବଦରେ ଜାଣିପାରିନଥିଲେ | ଜାଭେଦ୍ ପ୍ରତିଦିନ ବୁର୍ଖା ପିନ୍ଧି ଡାକ୍ତରଖାନାକୁ ଆସୁଥିଲେ, ମାତ୍ର ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କ ଗତିବିଧି ଉପରେ ସନ୍ଦେହ କରିଥିଲେ। ଏହାପରେ ଯାଞ୍ଚ କରିବାରୁ ସବୁ ସତ ସାମ୍ନାକୁ ଆସିଥିଲା | ପୁଲିସ କହିଛି ଯେ ବିଭିନ୍ନ ଦଫାରେ ଜାଭେଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଡାକ୍ତରଙ୍କ ଆପ୍ରୋନ୍ ପିନ୍ଧି କ୍ୟାମ୍ପସରେ ବୁଲୁଥିଲେ। ଏହି ସମୟ ମଧ୍ୟରେ ସେ କାହାର ଚିକିତ୍ସା କରିଛନ୍ତି କି ନାହିଁ, ଏହାର ମଧ୍ୟ ଯାଞ୍ଚ କରାଯାଉଛି।