ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କଲେ ଯୁବକ

ଲଖନଉ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉ ରେ ଆଜି ଜଣେ ଯୁବକ ଜଘନ୍ୟ କାଣ୍ଡ ଘଟାଇଛନ୍ତି | ଯୁବକ ଜଣକ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି | ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ ଲଖନଉର ବନଠାରରେ ଅଜୟ ନାମକ ଯୁବକ ଏକ ଧାରୁଆ ଛୁରୀରେ ତାଙ୍କ ପିତାମାତା, ଭାଇ-ଭାଉଜ ଏବଂ ପୁତୁରା-ଝିଆରୀଙ୍କୁ କାଟି ହତ୍ୟା କରିଛି ।

ଯୁବକ ଜଣକ ମାନସିକ ସନ୍ତୁଳନ ହରାଇ ଏଭଳି କରିଥିବାର କୁହାଯାଉଛି। ପରିବାରର ସମସ୍ତ ଲୋକ ଶୋଇବା ପରେ ଅଭିଯୁକ୍ତ ଯୁବକ ସମସ୍ତଙ୍କୁ ହତ୍ୟା କରିଥିଲା | ପରେ ଯୁବକ ଜଣକ ନିଜେ ପୁଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିଲା । ଅଭିଯୁକ୍ତ ଅଜୟ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତଙ୍କ ଘରେ ସମ୍ପତ୍ତି ବିବାଦ ଲାଗି ରହିଥିଲା । ଏହି ସମୟରେ ଅଜୟ ଜାଣିବାକୁ ପାଇଥିଲା ଯେ ସମ୍ପତ୍ତି ବିକ୍ରି ହୋଇଛି ଏବଂ ତାଙ୍କୁ କୁହାଯାଇ ନାହିଁ। ଏହି ଘଟଣାରେ କ୍ରୋଧିତ ଅଭିଯୁକ୍ତ ଅଜୟ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଥିଲା। ପୁଲିସ ଏବେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର