ରାଞ୍ଚି : ଝାଡ଼ଖଣ୍ଡରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଯୁବକ ତା’ ପତ୍ନୀର ଅନ୍ୟ କାହା ସହ ଅବୈଧ ସମ୍ପର୍କ ଥିବା ସନ୍ଦେହ କରି ମହା ଅନର୍ଥ ଘଟାଇଛି। ସେ ତା’ ନିଜ ପରିବାରରୁ ୫ ଜଣଙ୍କୁ ହତ୍ୟା କରିଛି। ଝାଡ଼ଖଣ୍ଡର କୋଡ଼େର୍ମା ଜିଲ୍ଲା ଅଧୀନସ୍ଥ ମସମୋହନା ପଞ୍ଚାୟତ ଅଂଚଳରେ ଗତ ରାତିରେ ଏହି ଘଟଣା ଘଟିଛି। ପୁଲିସ ସୂଚନାନୁଯାୟୀ ଗଙ୍ଗୋ ଦାସ ନାମକ ଜଣେ ଯୁବକ ଏଭଳି ଅଭାବନୀୟ କାଣ୍ଡ ଘଟାଇଛି। ୮ ମାସର ଗର୍ଭବତୀ ଥିବା ପତ୍ନୀ ସହ ସେ ରାତିରେ ଝଗଡ଼ା କରିଥିଲା। ଏହାପରେ ଗଙ୍ଗୋ ଏକ ରଡ୍‌ ନେଇ ତା’ ପତ୍ନୀ ଶିଲା ଦେବୀ (୨୭), ମା’ ଶାନ୍ତି (୬୦), ଝିଅ ରାଧିକା କୁମାରୀ, (୬) ପୁଅ ପୀୟୂଷ କୁମାର (୨) ଏବଂ ଅନ୍ୟ ୨ ଜଣ ସମ୍ପର୍କୀୟଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲା। ତେବେ କେବଳ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ୫ ଜଣ ଘଟଣା‌ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସର ସୂଚନା ଅନୁଯାୟୀ, ଗଙ୍ଗୋର ମାନସିକ ସ୍ଥିତି ଠିକ୍‌ ନାହିଁ। ନିଜ ଉପରୁ ନିୟନ୍ତ୍ରଣ ହରାଇ ସେ ଏଭଳି ଭୟାନକ କାଣ୍ଡ ଘଟାଇଛି। ଏହି ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି।

Advertisment