ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଆସିଥିବା ଏକ ଯୁବ ପ୍ରତିନିଧି ଦଳ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି। ବାମପନ୍ଥୀ ଉଗ୍ରବାଦ ଦ୍ୱାରା ଅଧିକ ପ୍ରଭାବିତ ଅଞ୍ଚଳର ଯୁବକମାନଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ (ଟିୱାଇଇପି) ଅଧୀନରେ ଏହି ଯୁବକମାନେ ଦିଲ୍ଲୀ ଆସିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ସେମାନଙ୍କୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିଥାଏ। ସେମାନଙ୍କୁ କେବଳ ନିଷ୍ଠାର ସହିତ କଠିନ ପରିଶ୍ରମ କରିବାକୁ ପଡିବ, ଯାହାଦ୍ବାରା ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ହିଂସା ମାଧ୍ୟମରେ ବିକାଶ କଦାପି ହାସଲ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ, ଦେଶର ତଥା ସମସ୍ତ ନାଗରିକଙ୍କ ବିକାଶ ପାଇଁ ସରକାର ଉଦ୍ୟମ କରୁଛନ୍ତି। କୌଣସି ଭେଦଭାବ ନକରି ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ଏହା ପ୍ରତିବଦ୍ଧ। ଦୂରତମ ଅଞ୍ଚଳରେ ମଧ୍ୟ ସରକାର ସମସ୍ତଙ୍କ ବିକାଶ ପାଇଁ ରାସ୍ତା, ଯୋଗାଯୋଗ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା କରୁଛନ୍ତି। ଯୁବକମାନଙ୍କର ବୃତ୍ତିଗତ କୌଶଳବୃଦ୍ଧି ଏବଂ ସେମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଅନେକ ଆଇଟିଆଇ ଏବଂ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଶିକ୍ଷା ହେଉଛି ବ୍ୟକ୍ତିଗତ ତଥା ସମ୍ପ୍ରଦାୟର ବିକାଶର ମୂଳଦୁଆ। ସେ ସେମାନଙ୍କୁ ଶିକ୍ଷାର ମହତ୍ତ୍ୱ ବୁଝିବାକୁ ଏବଂ ଅନ୍ୟମାନଙ୍କୁ ବୁଝାଇବାକୁ ଅନୁରୋଧ କରିଥିଲେ। ଆମ ପୂର୍ବପୁରୁଷଙ୍କଠାରୁ ପ୍ରେରଣା ପାଇବାକୁ ଏବଂ ସେମାନଙ୍କର ମୂଲ୍ୟବୋଧ ଓ ଆଦର୍ଶକୁ ଗ୍ରହଣ କରି ଭାରତକୁ ମଜବୁତ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ।
ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଅକ୍ଟୋବର ୧୮ରେ ଟିୱାଇଇପି ଅଧୀନରେ ୨୦୦ ଆଦିବାସୀ ଯୁବକଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ଗୃହମନ୍ତ୍ରୀ କହିଥିଲେ ଯେ, ହିଂସା ଚାକିରି ଯୋଗାଇ ପାରିବ ନାହିଁ ଏବଂ ବିକାଶ ତଥା ମୌଳିକ ଭିତ୍ତିଭୂମି ସୃଷ୍ଟି ପାଇଁ ସମାଜର ମୁଖ୍ୟ ସ୍ରୋତରେ ଯୋଗଦେବା ଆବଶ୍ୟକ। ଭୁଲ୍ ପଥରେ ପାଦ ନଦେବା କିମ୍ବା ଅନ୍ୟମାନଙ୍କୁ ଏପରି କରିବାକୁ ବାରଣ କରିବା ଆଦିବାସୀ ଯୁବକମାନଙ୍କର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଦିବାସୀଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଗୃହ ମନ୍ତ୍ରଣାଳୟ ଗତ ୧୫ ବର୍ଷ ଧରି ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ (ଟିୱାଇଇପି) ଚଳାଉଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହରୁ ଯୁବ କେନ୍ଦ୍ର ସଂଗଠନ (ଏନ୍ୱାଇକେଏସ୍) ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ଅଧିକ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳରୁ ଆଦିବାସୀ ସମ୍ପ୍ରଦାୟର ଯୁବକଯୁବତୀଙ୍କୁ ଦେଶର ପ୍ରମୁଖ ସହର ଏବଂ ମହାନଗର ନିଗମକୁ ନିଆଯାଉଛି। ଦିଲ୍ଲୀରେ ଆୟୋଜିତ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ସମୟରେ ଆଇଆଇଟି ଦିଲ୍ଲୀର ଇନକ୍ୟୁବେସନ ସେଣ୍ଟର ଓ ଇନୋଭେସନ୍ ଲ୍ୟାବ୍ ଏବଂ ମାନେସରର ହୋଣ୍ଡା କାରଖାନା ପରିଦର୍ଶନ ସହିତ ଏହି ଯୁବକମାନଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଏବଂ ବୃତ୍ତି ପରାମର୍ଶ ଦିଆଯିବ। ଉଦ୍ୟୋଗ ଏବଂ ବ୍ୟବସାୟ ଉପରେ ପରାମର୍ଶ ଏବଂ ମାର୍ଗଦର୍ଶନ ଦିଆଯିବ। ଏହା ବ୍ୟତୀତ ଯୁବ ସଂସଦ, ଆଦିବାସୀ ଅନୁସନ୍ଧାନ ପ୍ରତିଷ୍ଠାନ ପରିଦର୍ଶନ, ସିଆର୍ପିଏଫ୍ କ୍ୟାମ୍ପରେ ବରିଷ୍ଠ ଅଧିକାରୀଙ୍କ ମାର୍ଗଦର୍ଶନ ଏବଂ ପୁଲିସ୍ ନିଯୁକ୍ତି ପାଇଁ ପରାମର୍ଶ, ଯୁବ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ମାର୍ଗଦର୍ଶନ, ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମ ହେବ।