ବିଶ୍ୱରେ ଭାରତୀୟ ମୂଲ୍ୟବୋଧକୁ ଆମ ଯୁବକମାନେ ପହଞ୍ଚାନ୍ତୁ: ଧର୍ମେନ୍ଦ୍ର

ଯୁବ ସମ୍ବାଦ “ଭାରତ@୨୦୪୭” କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଯୁବ ସମ୍ବାଦ “ଭାରତ@୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ଆମର ହଜାର ହଜାର ବର୍ଷର ଇତିହାସରେ ଆମର ଯୁବ ଶକ୍ତି ଆମ ଦେଶର ଭାଗ୍ୟକୁ ରୂପ ଦେବା ନିମନ୍ତେ ନେତୃତ୍ୱ ନେଇଛନ୍ତି । ସହିଦ ଭଗତ ସିଂହ, ସହିଦ ବାଜି ରାଉତ, ରାଣୀ ଗାଇଦିନଲ୍ୟୁ ଏବଂ ତାଙ୍କ ଭଳି ଅଗଣିତ ବ୍ୟକ୍ତି ଆମକୁ ପ୍ରେରଣା ଦେଇଛନ୍ତି ଏବଂ ନିଜର ଯୁବାବସ୍ଥାରେ ଆଗକୁ ଆସି ନେତୃତ୍ୱ ନେଇଛନ୍ତି। ଭାରତର ସମୃଦ୍ଧ ସଭ୍ୟତା ମୂଳରୁ ଆଶୀର୍ବାଦ ପ୍ରାପ୍ତ ଅଟେ । ଏହି ଐତିହ୍ୟକୁ ଆଗକୁ ନେଇ ଯିବା ନିମନ୍ତେ ଦାୟିତ୍ୱ ଆମର ଉତ୍ସାହୀ ଯୁବ ସମାଜ ଉପରେ ରହିଛି। ଏକବିଂଶ ଶତାବ୍ଦୀରେ ଭାରତୀୟ ମୂଲ୍ୟବୋଧ, ସଂସ୍କାର, ଜ୍ଞାନ ଏବଂ ମଡେଲ୍ ଗୁଡିକୁ ସାରା ବିଶ୍ୱ ସାମନାକୁ ଆଣିବାର ଦାୟିତ୍ୱ ଆମ ଯୁବକ ମାନଙ୍କ ଉପରେ ରହିଛି । ଯେଉଁ ଉତ୍ସାହ ଏବଂ ସତ୍ୟନିଷ୍ଠା ସହିତ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଆମ ଦେଶର ସ୍ୱାଧୀନତା ନିମନ୍ତେ ସଂଗ୍ରାମ କରିଥିଲେ, ଆଜି ଆମର ଯୁବଗୋଷ୍ଠୀ ଭାରତକୁ ଆହୁରି ଅଧିକ ଶିଖରକୁ ନେଇଯିବା ପାଇଁ, ବିଶେଷ କରି ଅମୃତ କାଳର ଏହି ୨୫ ବର୍ଷ ମଧ୍ୟରେ ସେହି ସମାନ ଭାବନା ଏବଂ ସତ୍ୟନିଷ୍ଠାକୁ ବିକଶିତ କରିବା ଉଚିତ। ବିଶ୍ୱ ଭାରତକୁ ବହୁତ ଆଶାର ସହିତ ଦେଖୁଛି।

ଦେଶରେ ୭୫୦ ଯୁବ ସମ୍ବାଦ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ଆୟୋଜିତ ହେବ: ଅନୁରାଗ

ଯୁବକମାନେ ସେମାନଙ୍କ ଅଧିକାରଗୁଡିକ ପ୍ରତି ସଚେତନ ହେବା ସହିତ ଦେଶ ପ୍ରତି ନିଜର କର୍ତବ୍ୟ ଏବଂ ଦାୟିତ୍ୱଗୁଡିକ ପ୍ରତି ସଚେତନ ହେବା ଉଚିତ। ବିଶ୍ୱ ସ୍ତରର ସମସ୍ୟାଗୁଡିକର ସମାଧାନ ନିମନ୍ତେ ସେମାନେ ବଡ ଦାୟିତ୍ୱ ନେବା ଉଚିତ୍। ଆମର ଯୁବକ ମାନଙ୍କର ପ୍ରତିଭା, ଚେଷ୍ଟା ଏବଂ ଉତ୍ସାହ ପ୍ରେରଣାତ୍ମକ ଏବଂ ଉତ୍ସାହପୂର୍ଣ୍ଣ ଅଟେ । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସମୟରେ, ଯେତେବେଳେ ଆମେ ‘ଆଜାଦୀର ଅମୃତ ମହୋତ୍ସବ’ ଏବଂ ସ୍ୱାଧୀନତାର ୭୫ ତମ ବର୍ଷର ଉତ୍ସବ ପାଳନ କରୁଛେ ସେହି ସମୟରେ, ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ଯୋଗୁଁ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ପ୍ରଶଂସା କରିଥିଲେ। ଏହି ସମ୍ବାଦ ଗୁଡିକ ଦ୍ୱାରା ଦେଶରେ ସକାରାତ୍ମକ ଶକ୍ତିର ସଂଚରଣ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ଠାକୁର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କଥାକୁ ମନେ ପକାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସର୍ବଦା କହିଥାନ୍ତି ଯୁବକମାନେ ସେହି ଇଞ୍ଜିନ୍ ହୁଅନ୍ତୁ, ଯାହା ଦେଶକୁ ସଫଳତା ଆଡକୁ ନେଇଯିବ । ଏବେ ଆମ ଯୁବକ ମାନଙ୍କର କର୍ତବ୍ୟ ହେଉଛି ଅମୃତ କାଳ ସମୟରେ ଦେଶକୁ ସଫଳତାର ଶିଖର ଆଡକୁ ନେଇ ଯିବା । ଅମୃତ କାଳରେ, ଯୁବକ ମାନଙ୍କୁ ଅମୃତ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଉଚିତ୍ ଏବଂ ଏହି ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ନିମନ୍ତେ ଦାୟିତ୍ୱର ସହିତ ନିଜର କର୍ତବ୍ୟ ଗୁଡିକୁ ନିର୍ବାହ କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯୁବକ ମାନଙ୍କୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସବୁଠାରୁ ବଡ ଯୋଗଦାନ ଦେବାର ଅଛି ଏବଂ ଦେଶକୁ ବିଶ୍ୱ ଗୁରୁ କରିବାର ଅଛି। ଯୁବ ବ୍ୟାପାର ବିଭାଗ ଜାତୀୟ ଏବଂ ଅନ୍ତର୍ଜାତୀୟ ମହତ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିବା ନିମନ୍ତେ ସାରା ଦେଶରେ ୭୫୦ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରିବ । ମନ୍ତ୍ରୀ କହିଥିଲେ ଇଂରାଜୀ ଅକ୍ଷର ‘ଇ’ ରୁ ଆରମ୍ଭ ହୋଇଥିବା ଚାରିଟି ଶବ୍ଦ ଅର୍ଥାତ୍ ଶିକ୍ଷା (ଏଜୁକେସନ୍), ନିଯୁକ୍ତି (ଏମ୍ପ୍ଲୟମେଂଟ), ଉଦ୍ୟମିତା (ଏଂଟ୍ରୋପ୍ରେନ୍ୟୁଅରସିପ୍) ଏବଂ ସଶକ୍ତିକରଣ (ଏମ୍ପାୱାରମେଂଟ) ଦେଶରେ ଯୁବକ ମାନଙ୍କର ବିକାଶ ନିମନ୍ତେ ପ୍ରମୁଖ ଅଟେ ।

ସ୍ୱୟଂସେବାର ମହତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଯୁବକ ସ୍ୱୟଂସେବା ମାଧ୍ୟମରେ ଦେଶକୁ ୟେମ୍ୟାନ୍ର ସେବା ପ୍ରଦାନ କରି ପାରିବେ । ଶକ୍ତି ଏବଂ ପରିବେଶ ସୁରକ୍ଷା, ଫିଟ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ନିଶା ମୁକ୍ତି ଅଭିଯାନ, ପୁଷ୍ଟି ଅଭିଯାନ ଭଳି କ୍ଷେତ୍ର ଏମିତି କିଛି ପ୍ରମୁଖ କ୍ଷେତ୍ର ଅଟେ, ଯେଉଁଥିରେ ଯୁବକ ମାନେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ପାରିବେ ବୋଲି ଶ୍ରୀ ଠାକୁର କହିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ, ବକ୍ସର ନିଖତ ଜରିନ୍, ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ଭାରତୀୟ ହକି ଦଳର କ୍ରୀଡାବିତ୍ ପିଆର୍ ଶ୍ରୀଜେଶ, ପର୍ବତାରୋହୀ ଅରୁଣିମା ସିହ୍ନା ଏବଂ ପ୍ରେରଣାଦାୟୀ ବକ୍ତା ଆଭା ମର୍ଯ୍ୟାଦା ବାନାର୍ଜୀ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇ ଥିଲେ।

ସମ୍ବନ୍ଧିତ ଖବର