ଅନଲାଇନରେ ବିଷ ମଗାଇ ଆତ୍ମହତ୍ୟା କଲେ ଯୁବକ

ଭୋପାଳ: ପୂର୍ବରୁ ଅନଲାଇନରେ ଗଞ୍ଜେଇ ସପ୍ଲାଏ ହେଉଥିବା ଖବର ଆସିଥିଲା । ଏକ ଅନଲାଇନ୍ କମ୍ପାନୀ ଷ୍ଟିଭିଆ(ମିଠା ପତ୍ର) ନାଁରେ ଗଞ୍ଜେଇ ଡେଲିଭରୀ ଖବର ପୁଲିସ ଜାଣିବା ପରେ ଏହା ଗଣମାଧ୍ୟମରେ ବି ପ୍ରକାଶ ପାଇଥିଲା । ଏହାପରେ ଏବେ ବିଷ ସପ୍ଳାଏ ଖବର ଆସିଛି । ଏପରି ଘଟିଛି ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ । ଅନଲାଇନରେ ସଲଫାସ୍ ନାମକ ବିଷାକ୍ତ ଔଷଧ ମଗାଇ ଏହାକୁ ଖାଇବା ପରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଏନେଇ ମୃତ ଯୁବକଙ୍କ ବାପା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଭେଟି ସବୁ ଜଣାଇବା ପରେ ତାଙ୍କ ନିର୍ଦ୍ଦେଶରେ ଯାଞ୍ଚ କରି ସମ୍ପୃକ୍ତ ଅନଲାଇନ୍ କମ୍ପାନୀର ୨ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ ।

ସଲଫାସ୍ ଏକ ବିଷାକ୍ତ ପାଉଡର ଯାହାକୁ ଅଧିକାଂଶ ସମୟରେ ବିଲରେ କୀଟନାଶକ ଭାବେ ବ୍ୟବହାର କରାଯାଏ । ମୃତକ ଅନଲାଇନରେ ଏପରି ଘାତକ ଔଷଧ ମଗାଇଥିଲେ ବି କମ୍ପାନୀ କିପରି କୌଣସି ଡକ୍ୟୁମେଣ୍ଟ ଯାଞ୍ଚ ନକରି ଏହାକୁ ଡେଲିଭରୀ କରିଥିଲା ବୋଲି ପୁଲିସ୍ ଉକ୍ତ କମ୍ପାନୀକୁ ଇମେଲରେ ପ୍ରଶ୍ନ କରିଥିଲେ ବି କୌଣସି ଉତ୍ତର ମିଳିନଥିଲା । ଏହାପରେ ପୋଲିସ ୨ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି ।

ସମ୍ବନ୍ଧିତ ଖବର