ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରରେ ଚାକିରି ପାଇବାକୁ ହେଲେ ପ୍ରାର୍ଥୀଙ୍କୁ ସରକାରଙ୍କ ଦୁଇଟି ସର୍ତ୍ତ ଏଣିକି ଅନିବାର୍ଯ୍ୟ ଭାବେ ପାଳନ କରିବାକୁ ହେବ। ପ୍ରାର୍ଥୀଙ୍କୁ ନିଜ ସମ୍ପତ୍ତିର ସମସ୍ତ ସୂଚନା ଦେବା ସହିତ ଯୌତୁକଜନିତ ଏକ ଶପଥପତ୍ରର ଫର୍ମ ପୂରଣ କରିବାକୁ ହେବ।
ଅର୍ଥାତ ନୂଆନୂଆ ସରକାରୀ ଚାକିରି ପାଇଥିବା ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପୂର୍ବରୁ ସମ୍ପତ୍ତିର ଘୋଷଣା କରିବାକୁ ହେବ। ଏଥିସହିତ କେବେ ବି ଯୌତୁକ ନେବେ ନାହିଁ ତାହାର ଏକ ଶପଥପତ୍ର ବି ଅନିବାର୍ଯ୍ୟ ଭାବେ ଦେବାକୁ ପଡ଼ିବ। ଏସବୁ ଘୋଷଣାପତ୍ର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପାଇବା ପୂର୍ବରୁ ଦାଖଲ କରିବାକୁ ହେବ।
ଷ୍ଟେଟ ଆଣ୍ଡ ସୁପରିୟର ସବଅଡିନେଟ୍ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କ ପାଇଁ ସରକାର ଏହି ଦୁଇଟି ସର୍ତ୍ତକୁ ଅନିବାର୍ଯ୍ୟ ଭାବେ ପାଳନ କରିବାକୁ କହିଛନ୍ତି। ପ୍ରାର୍ଥୀଙ୍କୁ ଚାକିରି କରିବା ପୂର୍ବରୁ କିଛି ଶପଥପତ୍ର ଏବଂ ପ୍ରମାଣପତ୍ର ସରକାରଙ୍କୁ ଦେବାକୁ ପଡ଼ିବ | ଏଥିରେ ସେମାନେ ନିଯୁକ୍ତି ପୂର୍ବରୁ କୌଣସି ଋଣ କରି ନାହାନ୍ତି କି ଡିଫଲ୍ଟର ନୁହଁନ୍ତି ବୋଲି ପ୍ରମାଣ ସହିତ ସୂଚିତ କରିବେ।
ଏଥିସହିତ ଏକରୁ ଅଧିକ ସ୍ୱାମୀ କିମ୍ବା ସ୍ତ୍ରୀ ନଥିବାର ପ୍ରମାଣ ପତ୍ର ସହିତ କେବେ ବି ଯୌତୁକ ଗ୍ରହଣ କରିବେ ନାହିଁ ତାହାର ଏକ ଘୋଷଣାପତ୍ର ମଧ୍ୟ ସେମାନେ ସରକାରଙ୍କୁ ଦେବେ | ଏତଦ ବ୍ୟତୀତ ସେମାନଙ୍କୁ ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଘୋଷଣାପତ୍ର ଦେବାକୁ ପଡ଼ିବ, ଯାହାର ସେମାନେ ସ୍ଥାୟୀ ସଦସ୍ୟ ରହିଥିବେ।