ଗୁରୁଗ୍ରାମ:ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ପରିବାରଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଅଗଷ୍ଟ ୧୭ ତାରିଖ ସକାଳ ୫.୩୦ରୁ ୬ଟା ମଧ୍ୟରେ ଏଲଭିଶ ଯାଦବଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳି କରି ଆକ୍ରମଣକାରରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ୩ଜଣ ଅଜ୍ଞାତ ଯୁବକ ଏଲଭିଶ ଯାଦବଙ୍କ ଘର ପାଖକୁ ଆସି ୨୫ରୁ ୩୦ ରାଉଣ୍ଡ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି।#
ଏହି ଗୁଳିକାଣ୍ଡ ଘଟଣାର ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ୟୁଟ୍ୟୁବରଙ୍କ ପ୍ରଶଂସକମାନେ ଏଲଭିଶଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।
ଘରେ ଗୁଳିକାଣ୍ଡ ହେବାପରେ ଏଲଭିଶ ମୁହଁଖୋଲି କହିଛନ୍ତି,‘ଗୁଳିକାଣ୍ଡ ଘଟଣା ସମୟରେ ମୁଁ ଘରେ ନଥିଲି। କାମ ହେତୁ ବାହାରେ ଥିଲି। ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି। ଆପଣ ସମସ୍ତଙ୍କ ଶୁଭ ଆଶୀର୍ବାଦ ପାଇଁ ମୋ ପରିବାର ଉପରେ ଗୁଳିକାଣ୍ଡ ଘଟଣାରେ କୌଣସି ପ୍ରକାର ଆଞ୍ଚ ଆସି ନାହିଁ।’
ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।
ସୋସିଆଲ ମିଡିଆରେ ଏକ ପୋଷ୍ଟରେ, 'ଭାଉ ଗ୍ୟାଙ୍ଗ' ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁର ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘରେ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନିଜର ଦାୟୀ କରିଛନ୍ତି।