ନୂଆଦିଲ୍ଲୀ: ଏନ୍‌ଆଇଏ ଏବଂ ଆଇବି ଅଧିକାରୀମାନେ ଆଜି ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର୍‌ ଜ୍ୟୋତି ମାଲହୋତ୍ରାଙ୍କୁ ଜେରା କରିଛନ୍ତି।  ନିକଟରେ ‌ତାଙ୍କ ପାକିସ୍ତାନ, ଚୀନ୍‌, ବାଂଲାଦେଶ ଏବଂ ଦୁବାଇ ଗସ୍ତ ଉପରେ ଖୋଳତାଡ଼ ଜାରି ରହିଛି। ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦେଇଥିବା ଅଭିଯୋଗରେ ଏଯାବତ୍‌ ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରୁ ଗତ ୨୪ ଘଣ୍ଟାରେ ୪ ଜଣଙ୍କ ସମେତ ମୋଟ୍‌ ୧୪ ଜଣ ଗିରଫ ହେ‌ଲେଣି।

Advertisment

ଜ୍ୟୋତି ମାଲ୍‌ହୋତ୍ରାଙ୍କୁ ଏନ୍‌ଆଇଏ ଜେରା ସଂକ୍ରାନ୍ତରେ ସ୍ପଷ୍ଟ କରି ହିସାର ଏସ୍‌ପି ଶଶାଙ୍କ କୁମାର ସାୱନ କହିଛନ୍ତି, ତାଙ୍କୁ ଜେରା କରିବା ପାଇଁ ଏନ୍‌ଆଇଏ ଟିମ୍‌ ଏଠାରେ ପହଞ୍ଚିଛନ୍ତି। ତେବେ ଜେରା ସଂକ୍ରାନ୍ତରେ ଏନ୍‌ଆଇଏ ଟିମ୍‌ କୌଣସି ଟିପ୍ପଣୀ ଦେଇନାହାନ୍ତି। ଜ୍ୟୋତି ମାଲହୋତ୍ରାଙ୍କୁ ମଧ୍ୟ ଆଇବି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା‌ର ଅଧିକାରୀମାନେ ଜେରା କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଜ୍ୟୋତି ମାଲହୋତ୍ରା ୨୦୧୮ରେ ପାସପୋର୍ଟ ପାଇଥିଲେ। ୨୦୨୮ ପର୍ଯ୍ୟନ୍ତ ଏହାର ବୈଧତା ଅଛି। ସେ ପାକିସ୍ତାନ, ଚୀନ୍‌, ଦୁବାଇ, ଥାଇଲାଣ୍ଡ, ବାଂଲାଦେଶ, ଭୁଟାନ, ନେପାଳ, ଇଣ୍ଡୋନେସିଆ ଏବଂ ଅନ୍ୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି।