ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ଉଦୀୟମାନ ୟୁଟ୍ୟୁବର ଫାଶୀରେ ଝୁଳି ପଡ଼ିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୧ ବର୍ଷୀୟ ବୋନୁ କୋମାଲି ତାଙ୍କ ଭଡା ଘରେ ନିଜ ଜୀବନ ନେଇଛନ୍ତି। ଏହା ପୂର୍ବରୁ ତାଙ୍କ ମାଙ୍କ ପାଖକୁ ପଠାଇଥିବା ଶେଷ ମେସେଜ୍ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି।
ଏହି ଦୁଃଖଦ କାହାଣୀ ସୋମବାର ଭୋରରୁ ଆରମ୍ଭ ହୋଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ବୋନୁ କୋମାଲି, ଯିଏ ହାଇଦ୍ରାବାଦରେ ବିଏସସି ଡିଗ୍ରୀ ଅଧ୍ୟୟନ କରୁଥିଲେ। ସୋମବାର ଦିନ ପ୍ରାୟ ୧:୩୪ ସମୟରେ ତାଙ୍କ ମା ବି. ସତ୍ୟ ଭରଲକ୍ଷ୍ମୀଙ୍କୁ ଏକ ଶେଷ ମେସେଜ୍ ପଠାଇଥିଲେ। ସେ ଲେଖାଥିଲେ ମୁଁ ତୁମକୁ ବହୁତ ଭଲ ପାଏ। ଛୋଟ ଭାଇର ଯତ୍ନ ନେବ।
ଅଧିକପଢ଼ନ୍ତୁ:ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କ ପରଲୋକ
କୋମାଲିଙ୍କ ମା କୁଏତରେ ବେବିସିଟର ଭାବରେ କାମ କରନ୍ତି। ମେସେଜଟି ପଢ଼ି ସେ ଚିନ୍ତିତ ହୋଇଯାଇଥିଲେ। ସେ ତୁରନ୍ତ କୋମାଲିଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ୍ ବନ୍ଦ ଥିଲା। ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଯେତେବେଳେ ସେ ଯୋଗାଯୋଗ କରିପାରିଲେ ନାହିଁ, ସେ ହାଇଦ୍ରାବାଦରେ ଥିବା କୋମାଲିଙ୍କ ବନ୍ଧୁ ମନସାଙ୍କୁ ଫୋନ୍ କଲେ ଏବଂ ତାଙ୍କୁ ତୁରନ୍ତ କୋମାଲି ରହୁଥିବା ଫ୍ଲାଟକୁ ଯିବାକୁ କହିଥିଲେ।
ମନସା ଅପରାହ୍ନ ପ୍ରାୟ ୩ଟାରେ କୋମାଲିଙ୍କ ଭଡା ଘରେ ପହଞ୍ଚିଲେ। ସେତେବେଳେ ଘରର ଦ୍ୱାର ଭିତରୁ ବନ୍ଦ ଥିଲା। ବାରମ୍ବାର ଠକ୍ ଠକ୍ କରି ଡାକ ପକାଇବା ପରେ କୌଣସି ଉତ୍ତର ନ ମିଳିବାରୁ, ପଡ଼ୋଶୀମାନଙ୍କ ସହାୟତାରେ ପୁଲିସକୁ ଖବର ଦିଆଯାଇଥିଲା। ରାଇଦୁର୍ଗମ୍ ପୁଲିସ ଇନ୍ସପେକ୍ଟର ଚେନ୍ନା ଭେଙ୍କାନାଙ୍କ ନେତୃତ୍ୱରେ ଦଳ ଘରର କବାଟ ଭାଙ୍ଗିଲେ। ଭିତରର ଦୃଶ୍ୟ ଭୟଙ୍କର ଥିଲା। କୋମାଲି ଶାଢ଼ୀରେ ସିଲିଂ ଫ୍ୟାନ୍ରେ ଝୁଲି ରହିଥିଲେ। ପାଖରେ ଏକ ସିଡ଼ି ଓ ଫାଶୀ ତିଆରି କରିବା ପାଇଁ ସେ ବ୍ୟବହାର କରିଥିବା ଶାଢ଼ୀ ମିଳିଥିଲା।
କୋମାଲି ଗତ ୧୧ ମାସ ଧରି ହାଇଦ୍ରାବାଦର ଏହି ଆପାର୍ଟମେଣ୍ଟରେ ଏକା ରହୁଥିଲେ। ସେ ଜଣେ ପାର୍ ଟାଇମ୍ ୟୁଟ୍ୟୁବର ଥିଲେ। ତାଙ୍କ ଚ୍ୟାନେଲରେ ଜୀବନଶୈଳୀ, ବ୍ୟକ୍ତିଗତ ବ୍ଲଗ୍ ଓ ଦୈନନ୍ଦିନ ଭିଡିଓ ସେୟାର କରୁଥିଲେ। ସୋସିଆଲ ମିଡିଆରେ ତାଙ୍କ ଜୀବନ ବେଶ୍ ଗ୍ଲାମରସ୍ ଓ ଆନନ୍ଦଦାୟକ ଦେଖାଯାଉଥିଲେ ମଧ୍ୟ, ପ୍ରକୃତରେ ସେ ଏକ ଗଭୀର ମାନସିକ ସଂଘର୍ଷର ସମ୍ମୁଖୀନ ହେଉଥିଲେ। ପୁଲିସର କହିବା ଅନୁଯାୟୀ, ସେ କିଛି ସମୟ ଧରି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ସମ୍ପର୍କ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଯାହା ତାଙ୍କ ପାଠପଢ଼ା ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିଲା।
ପୁଲିସର ପ୍ରାରମ୍ଭିକ ତଦନ୍ତ ଏକ ବିଫଳ ପ୍ରେମ ସମ୍ପର୍କକୁ ଇଙ୍ଗିତ କରୁଛି। କୋମାଲି ଗତ ତିନି ବର୍ଷ ଧରି ଜଣେ ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟରଙ୍କ ସହିତ ସମ୍ପର୍କରେ ଥିଲେ, ଯିଏ ମଧ୍ୟ ଜଣେ ୟୁଟ୍ୟୁବର। ଉଭୟଙ୍କ ମଧ୍ୟରେ କିଛି ଦିନ ଧରି ଗମ୍ଭୀର ମତଭେଦ ଥିଲା। ପରେ ସେମାନଙ୍କର ସମ୍ପର୍କ ଭାଙ୍ଗିଯାଇଥିଲା।
ମାନସିକ ଭାରସାମ୍ୟ ହରାଇବା ପରେ ଜୀବନ ହାରିଲେ ୟୁଟ୍ୟୁବର
ସମ୍ପର୍କ ଭାଙ୍ଗିବା ପରେ କୋମାଲି ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ। ହାଇଦ୍ରାବାଦ ପୁଲିସ ପ୍ରକାଶ କରିଛି, କୋମାଲି ପ୍ରାୟ ଛଅ ମାସ ପୂର୍ବରୁ ମାନସିକ ଚାପ ଯୋଗୁ ନିଜ ଜୀବନ ନେବାକୁ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାଙ୍କ ପରିବାର ତାଙ୍କୁ ରକ୍ଷା କରିଥିଲେ। ଏଥର, ସେ ଘରେ ଏକା ଥିଲେ ଓ ମାନସିକ ଅବସାଦରେ ପ୍ରଭାବିତ ହୋଇ ଏହି ଚରମ ପଦକ୍ଷେପ ନେଇଥିଲେ।
ପୁଲିସ ମାମଲାକୁ ସନ୍ଦେହଜନକ ମୃତ୍ୟୁ ଭାବରେ ପଞ୍ଜୀକୃତ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଓସମାନିଆ ଜେନେରାଲ ହସ୍ପିଟାଲକୁ ପଠାଇଛି। ତଦନ୍ତକାରୀ ଅଧିକାରୀମାନେ କୋମାଲିଙ୍କ ମୋବାଇଲ ଫୋନ୍ କଲ୍ ରେକର୍ଡ, ହ୍ୱାଟସଆପ୍ ଚାଟ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ଡକ୍ୟୁମେଣ୍ଟଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରୁଛନ୍ତି। ତାଙ୍କ ସଫ୍ଟୱେର୍ ଇଞ୍ଜିନିୟର ବନ୍ଧୁ ଓ ଅନ୍ୟ ନିକଟ ସମ୍ପର୍କୀୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି। ପୁଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ତାଙ୍କୁ ନିଜ ଜୀବନ ନେବାକୁ ଉସୁକାବା କରାଯାଇଥିଲା ନା ଏହା କେବଳ ଭାବପ୍ରବଣ ହୋଇ ଭାଙ୍ଗିପଡ଼ିବାର ଫଳାଫଳ ଥିଲା।
ଅଧିକପଢ଼ନ୍ତୁ:ସୌରଭଙ୍କ ବାୟୋପିକ୍ରେ ଅଭିନୟ କରିବେ ରାଜକୁମାର୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/098-2026-02-26-13-08-22.jpeg)