ପୁଲିସ ନେଉଥିବା ବେଳେ ୟୁଟ୍ୟୁବର ମନୀଷଙ୍କୁ କାନ୍ଦିବା ଦେଖି ସାଙ୍ଗ କଲେ ଗୁହାରି, ‘ସାର୍! ଯତ୍ନ ନେବେ, ତାର ଖାଇବା ଓ ପିଇବା ପ୍ରତି ଦୃଷ୍ଟି ରଖିଥିବେ’

ନୂଆଦିଲ୍ଲୀ: ଗତ ଶନିବାର ସକାଳେ ବିବାଦୀୟ ୟୁଟ୍ୟୁବର ମନୀଷ କଶ୍ୟପ ବିହାର ପୁଲିସ ନିକଟରେ ଅତ୍ମସମର୍ପଣ କରିଥିଲେ । ଏହାପରେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ହେପାଜତରେ ଥାଇ ମନୀଷ କାନ୍ଦୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିସହିତ ବିବାଦୀୟ ୟୁଟ୍ୟୁବରଙ୍କ ପରିଚିତ ଲୋକେ ପୁଲିସକୁ  ମନୀଷଙ୍କ ଯତ୍ନ ନେବା ପାଇଁ ଗୁହାରି କରିଛନ୍ତି।

ପୁଲିସ ଗାଡ଼ିରେ ବସି ଯାଉଥିବା ବେଳେ ତାଙ୍କର ଜଣେ ସାଙ୍ଗ ବିବାଦୀୟ ୟୁଟ୍ୟୁବର ମନୀଷଙ୍କ ହାତ ଧରି ନେଉଛନ୍ତି। ଆଉ କହୁଛନ୍ତି, ‘‘ଏ ଭାଇ ଭୟ କରିବୁ ନାହିଁ। ଆମେ ଏହି ଲଢ଼େଇ ଲଢ଼ିବା…।’’

ଏଥିସହିତ ଉକ୍ତ ଯୁବକ ଜଣକ ମନୀଷଙ୍କୁ ଗାଡ଼ିରେ ଧରି   ବସିଥିବା ପୁଲିସ କର୍ମଚାରୀଙ୍କୁ ଗୁହାରି କରି କହୁଛନ୍ତି, ‘‘ସାର… ମନୀଷର ଖାଇବା ଓ ପିଇବା ପ୍ରତି ଧ୍ୟ‌ାନ ଦେବେ।’’ ଏହାର ଉତ୍ତରରେ ପୁଲିସ ଉକ୍ତ ଯୁବକଙ୍କୁ କହିଥିଲେ, ‘‘ଆମେ ତୁମ ଠାରୁ ଅଧିକ ଧ୍ୟାନ ଦେଉଛୁ।’’

ସୂଚନାଯୋଗ୍ୟ, ମନୀଷଙ୍କ ବିରୋଧରେ ଦକ୍ଷିଣ ରାଜ୍ୟଗୁଡିକରେ ମଧ୍ୟ ଅଭିଯୋଗ ରହିଛି । ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣର ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ମନୀଷଙ୍କ ନାମରେ ବିହାର ଓ ତାମିଲନାଡୁ ରାଜ୍ୟରେ ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ  ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମନୀଷ ଆର୍ଥିକ ଅପରାଧ ଶାଖାର ଅଧିକାରୀଙ୍କ ନିକଟରେ ହାଜର ହୋଇ ନଥିଲେ । ଏହାପରେ ମନୀଷଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା । ମାତ୍ର ୱାରେଣ୍ଟ ବାହାରିବା ପରେ ମଧ୍ୟ ସେ ଧରାଦେଇନଥିଲେ।  ବିଭାଗ ପକ୍ଷରୁ ମନୀଷଙ୍କର ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲେ ବି ମନୀଷଙ୍କୁ ଧରିବାରେ ସକ୍ଷମ ହୋଇ ନଥିଲା ପୁଲିସ୍।

ଏସବୁ ଭିତରେ ଗତ ଶନିବାର ବେତିୟା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ମନୀଷ ।

ସମ୍ବନ୍ଧିତ ଖବର