ଦେଶରେ ପ୍ରଥମ : ୫ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଆଜି ନିଜର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ୫ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ସଦସ୍ୟ ବିଶିଷ୍ଟ  ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଆଜି ପୂର୍ବାହ୍ନ ୧୧ଟା ୪୯ ମିନିଟରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟପାଳ ଇ ଏଲ ନରସିଂହନ୍ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜଗନଙ୍କ ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସଂପ୍ରଦାୟରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହୋଇଥିବା ଜଣାଯାଇଛି।

 

ଗତକାଲି ୱାଇଏସ୍ଆର୍ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା।ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଆଜି ସକାଳ ୮ଟା ୩୯ ମିନିଟରେ ଶୁଭବେଳାରେ ନିଜର ପ୍ରକୋଷ୍ଠରେ ପ୍ରବେଶ କରିଥିଲେ। ସେ ୮ଟା ୫୦ ମିନିଟ ସମୟରେ ପ୍ରଥମ ଫାଇଲରେ ଦସ୍ତଖତ କରିଥିଲେ। ଜଗନ ଗତକାଲି କହିଥିଲେ ଯେ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ବିଧାୟକମାନେ ନିଷ୍ଠା ଓ ସତର୍କତାର ସହ କାମ କରିବା ଜରୁରୀ ।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମୋଟ ୧୭୫ ଆସନରୁ ଜଗନଙ୍କ ଦଳ ୧୫୧ ଆସନରେ ବିଜୟୀ ହୋଇଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପିକୁ ମାତ୍ର ୨୩ ଆସନ ମିଳିଛି।

ସମ୍ବନ୍ଧିତ ଖବର