ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି।

Advertisment

ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସରେ ଯୋଗ ଦେବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ହଁ, ସେମିତି ମନେହେଉଛି।

ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି।

YS Sharmila joins Congress Image Courtesy of India Today

ଏହି କାର୍ଯ୍ୟକ୍ରମରେ ତାଙ୍କ ଦଳ ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ ମଧ୍ୟ ‘କଂଗ୍ରେସ ପାର୍ଟି’ରେ ମିଶିଲା ବୋଲି ଶର୍ମିଲା ଘୋଷଣା କରିବା ସହିତ କହିଛନ୍ତି ଯେ, ତାଙ୍କୁ ‌ଯାହା ଦାୟିତ୍ବ ଦିଆଯିବା ତାହା ସେ ପାଳନ କରିବେ।

କଂଗ୍ରେସକୁ ପ୍ରଶଂସା କରି ଶର୍ମିଲା କହିଲେ, କଂଗ୍ରେସ ହେଉଛି ଅକୁଣ୍ଠିତ ଭାବେ ସମସ୍ତ ସମ୍ପ୍ରଦାୟର ସେବା  ଓ ସବୁବର୍ଗର ଜନତାଙ୍କୁ ଏକତ୍ର କରି ରଖିଥିବା ଦେଶର ବୃହତ୍ତମ ଧର୍ମନିରପେକ୍ଷ ଦଳ।

ସୂଚନାଯୋଗ୍ୟ, ଶର୍ମିଲା ହେଉଛନ୍ତି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ୱାଇ. ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ। ସେ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଦେଖିବା ଲାଗି ମୋ ବାପାଙ୍କର ଅଭିଳାଷ ଥିଲା। ଏବେ ସେଥିପାଇଁ ଅବଦାନ ଦେଇ ମୁଁ ଆନନ୍ଦିତ ହେବି।