ସାମ୍ବାଦିକ ସମ୍ମିଳନୀ କରି ସହିଦ୍‌ ପୁଲିସକର୍ମୀଙ୍କ ଜୋତା ସଫା କରିବା ସହ ଚୁମ୍ବନ ଦେଲେ ସାଂସଦ, ଭାଇରାଲ୍‌ ହେଉଛି ଭିଡିଓ

ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ଶାସକ ୱାଇଏସଆର କଂଗ୍ରେସ ଦଳର ଜଣେ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୱାଇଏସଆର କଂଗ୍ରେସର ଜନୈକ  ସାଂସଦ ଜଣେ ସହିଦ ପୁଲିସ କର୍ମଚାରୀଙ୍କ ଜୋତାକୁ ସଫା କରିବା ସହ ଚୁମ୍ବନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏବେ ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି।

ସୂଚନାନୁସାରେ, ୱାଇଏସଆର ସାଂସଦ ଗୋରନ୍ତଲା ମାଧବ ପୁଲିସ ସଂପର୍କରେ  ଟିଡିପି ନେତା ଦିବାକର ରେଡ୍ଡିଙ୍କ ବୟାନର ଜବାବରେ ଏଭଳି କରିଥିବା ଜଣାପଡିଛି। ପୂର୍ବରୁ ଟିଡିପି ନେତା ରେଡ୍ଡି କହିଥିଲେ କି, ଯଦି ତାଙ୍କ ଦଳ ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ସେ ପୁଲିସଙ୍କ ଦ୍ୱାରା ନିଜ ଜୋତା ଚଟାଇବେ। ପ୍ରଦେଶ ପୁଲିସ ବିରୋଧରେ ତାଙ୍କର ଏଭଳି ବୟାନକୁ ନେଇ ମାଧବ କ୍ଷୁବ୍ଧ ହୋଇଥିଲେ। ଏହା ରାଜ୍ୟର ପୁଲିସ ପ୍ରତି ଅସମ୍ମାନ ବୋଲି ସେ ମନ୍ତବ୍ୟ ଦେଇଥିଲେ।

ତେବେ ନିର୍ବାଚନ ଜିିତି ୱାଇଏସଆର କଂଗ୍ରେସ  ପୁଣି ଥରେ ସରକାରକୁ ଗଢିବା ପରେ ସାଂସଦ ମାଧବ ଟିଡିପି ନେତା ଦିବାକର ରେଡ୍ଡିଙ୍କ ବୟାନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଅନନ୍ତପୁରମରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ସମସ୍ତଙ୍କ ଆଗରେ ଜଣେ ପୁଲିସକର୍ମୀଙ୍କ ଜୋତାକୁ ଚୁମ୍ବନ ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓକୁ ଲୋକେ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଇଛି। ଏହି ଜୋତା ଜଣେ ସହିଦ ପୁଲିସକର୍ମୀଙ୍କର ଥିଲା ଓ ସେ ଡ୍ୟୁଟିରେ ଥିବା ସମୟରେ ସେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର