ଆନ୍ଧ୍ରରେ ୱାଇଏସ୍‌ଆର୍‌ସିପି ସରକାର

ଜଗନଙ୍କୁ ପୂର୍ଣ୍ଣ ବହୁମତ ମେ’ ୩୦ରେ ଶପଥଗ୍ରହଣ ଚନ୍ଦ୍ରବାବୁଙ୍କ ଟିଡିପି ୨୯ ଆସନରେ ସୀମିତ

ଅମରାବତୀ: ବିଧାନସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ୟାଇଏସ୍‌ଆର୍‌ କଂଗ୍ରେସ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଛି। ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ୱାଇଏସ୍‌ଆର୍‌ କଂଗ୍ରେସ ମୋଟ ୧୭୫ଟି ବିଧାନସଭା ଆସନ ମଧ୍ୟରୁ ୧୪୦ ଆସନରେ ବିଜୟଲାଭ କରିଛି। ୪୬ ବର୍ଷୀୟ ଜଗନ ଆନ୍ଧ୍ରର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି।
ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲଗୁ ଦେଶମ ପାର୍ଟି (ଟିଡ଼ିପି)ର ଏହି ନିର୍ବାଚନରେ ଶୋଚନୀୟ ପରାଜୟ ଘଟିଛି। ରାଜ୍ୟର ସମସ୍ତ ୧୩ଟି ଜିଲ୍ଲାରେ ଟିଡ଼ିପିକୁ ପଛରେ ପକାଇଦେଇଛି ୱାଇଏସ୍‌ଆର୍‌ କଂଗ୍ରେସ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ନିର୍ବାଚନରେ ଜାତୀୟ ଦଳ କଂଗ୍ରେସ ଏବଂ ବିଜେପିର ସତ୍ତା ହଜିଯାଇଛି।
ନିର୍ବାଚନ ଫଳାଫଳ ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ମୋଟ ୧୭୫ଟି ବିଧାନସଭା ଆସନ ମଧ୍ୟରୁ ୧୪୦ ଆସନରେ ୟାଇଏସ୍‌ଆର୍‌ କଂଗ୍ରେସ ବିଜୟୀ ହୋଇଛି। ଏଥିରୁ ମାତ୍ର ୨୯ଟି ଆସନ ଟିଡିପିକୁ ମିଳିଛି। ସୂଚନା ଅନୁଯାୟୀ, ୫୦.୩ ପ୍ରତିଶତ ଭୋଟ ୟାଇଏସ୍‌ଆର୍‌ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଟିଡ଼ିପି ମାତ୍ର ୩୮ ପ୍ରତିଶତ ଭୋଟ ପାଇଥିବା ଜଣାପଡିଛି। ଅନ୍ୟପକ୍ଷେ, ଚନ୍ଦ୍ରବାବୁଙ୍କ ବିରୋଧରେ ଜଗନଙ୍କ ଆକ୍ରମଣାତ୍ମକ ପ୍ରଚାର ଅଭିଯାନ ଏବଂ ଜଗନଙ୍କ ‘ନବରତ୍‌ନାଲୁ’ ଭୋଟରଙ୍କୁ ପ୍ରଭାବିତ କରିଛି। ଜଗନ ଚନ୍ଦ୍ରବାବୁଙ୍କ ସରକାର ଅମଳରେ ହୋଇଥିବା ଅରାଜକତା ବିରୋଧରେ ଜନମତ ସୃଷ୍ଟି କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାରେ ସଫଳ ହୋଇଛନ୍ତି।

ଅରୁଣାଚଳରେ ସରକାର ଗଢ଼ିବ ବିଜେପି
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ପୁଣି ବିଜେପି ସରକାର ଗଢିବ। ବିଧାନସଭା ନିର୍ବାଚନରେ ମୋଟ ୬୦ ଆସନ ମଧ୍ୟରୁ ପେମା ଖଣ୍ଡୁଙ୍କ ନେତୃତ୍ୱରେ ବିଜେପି ୪୦ଟି ଆସନ ହାସଲ କରିଛି। ଏଠି କଂଗ୍ରେସକୁ ମା୍ତ୍ର ୧୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ, ଅରୁଣାଞ୍ଚଳ ପ୍ରଦେଶରେ ବିଜେପି ୪୦ଟି ଆସନ ପାଇଛି। ଏଠାରେ କଂଗ୍ରେସ ୧୦ଟି ଆସନ ପାଇଥିବା ବେଳେ ଏନ୍‌ପିପି ୪ଟି ଏବଂ ଅନ୍ୟାନ୍ୟ ୫ଟି ଆସନ ପାଇଛନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସ ନବାମ ତୁକିଙ୍କ ନେତୃତ୍ୱରେ ବିଜୟୀ ହୋଇ ସରକାର ଗଢ଼ିଥିଲା। ତେବେ ରାଜନୈତିକ ବିବାଦ ଯୋଗୁଁ ପେମା ଖଣ୍ଡୁ ୪୩ ଜଣ ବିଧାୟକଙ୍କୁ ନେଇ ଦଳବଦଳ କରି ବିଜେପିରେ ଯୋଗଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସିକିମ୍‌ରେ ଏସ୍‌ଡିଏଫ୍‌ର ପରାଜୟ

ନୂଆଦିଲ୍ଲୀ: ସିକ୍କିମରେ ବିଜେପିର ସହଯୋଗୀ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ସିକ୍କିମ ଡେମୋକ୍ରେଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌)କୁ ଟକ୍କର ଦେଇ ଆଗକୁ ବଢୁଛି। ମୋଟ ୩୨ଟି ବିଧାନସଭା ଆସନ ମଧ୍ୟରୁ ଏସ୍‌କେଏମ୍‌ ୧୭ଟି ଆସନରେ ବିଜୟୀ ହୋଇଛି। ଚାମ୍‌ଲିଙ୍ଗ ପୋକ୍‌ଲକ୍‌ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ପବନ ଚାମ୍‌ଲିଙ୍ଗଙ୍କ ଦଳ ୧୫ ଆସନ ପାଇଥିବା ବେଳେ ଏସ୍‌ଡିଏଫ୍‌ ୧୭ଟି ଆସନରେ ବିଜୟୀ ହୋଇଛି। ଏସ୍‌କେଏମ୍‌ ବିଜେପି ସହିତ ମେଣ୍ଟ କରି ନର୍ଥ ଇଷ୍ଟ ଡେଭ୍‌ଲପ୍‌ମେଣ୍ଟ ଆଲାଏନ୍ସ୍‌ (ଏନ୍‌ଇଡିଏ) ଗଠନ କରିଥିଲା। ତେବେ ଏସ୍‌ଡିଏଫ୍‌ ଏବଂ ବାଇଚୁଙ୍ଗ୍‌ ଭୁତିଆଙ୍କ ହାମରୋ ସିକ୍କିମ ପାର୍ଟି (ଏଚ୍‌ଏସ୍‌ଏମ୍‌୍‌) କୌଣସି ଜାତୀୟ ଦଳ ସହିତ ମେଣ୍ଟ କରିନଥିଲା।

ସମ୍ବନ୍ଧିତ ଖବର