ଭାରତର ପ୍ରତିବାଦ ସତ୍ତ୍ୱେ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ପହଞ୍ଚିଲା ଚୀନର ଗୁପ୍ତଚର ଜାହାଜ

କଲମ୍ବୋ: ଭାରତର ପ୍ରତିବାଦ ସତ୍ତ୍ୱେ ଚାଇନାର ‘ଗୁପ୍ତଚର’ ଜାହାଜ କୁହାଯାଉଥିବା ଉଆଙ୍ଗ ୱାଙ୍ଗ ୫ ମଙ୍ଗଳବାର ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ପହଞ୍ଚିଛି। ବିଶେଷ କଥା ହେଉଛି ଭାରତ ଏବଂ ଆମେରିକା ଏ ବିଷୟରେ ଚିନ୍ତା ପ୍ରକଟ କରିଥିଲେ ବି ଶ୍ରୀଲଙ୍କାକୁ କୌଣସି ଫରକ ପଡ଼ିନାହିଁ। ଖବର ମୁତାବକ, ଉପଗ୍ରହ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ କ୍ଷେପଣାସ୍ତ୍ର ଟ୍ରାକିଂ ସୁବିଧା ଥିବା ଏହି ଜାହାଜ ଅଗଷ୍ଟ ୨୨ ପର୍ଯ୍ୟନ୍ତ ହମ୍ବନତୋଟା ବନ୍ଦରରେ ରହିବ। ସୂଚନା ମୁତାବକ ଶ୍ରୀଲଙ୍କା ସରକାର ଚୀନ୍‌ର ବିବାଦୀୟ ଗୁଇନ୍ଦା ଜାହାଜକୁ ତାଙ୍କ ଦେଶର ବନ୍ଦରକୁ ପ୍ରବେଶ ଅନୁମତି ଦେଇଥିଲେ । ‘ଉଆଙ୍ଗ ୱାଙ୍ଗ ୫’କୁ ଇଣ୍ଟରନ୍ୟାସନାଲ ସିପିଂ ଆଣ୍ଡ ଆନାଲିଟିକ୍ସ ସାଇଟ୍ସ ଦ୍ବାରା ଏକ ଗବେଷଣା ଏବଂ ସର୍ବେକ୍ଷଣ ଜାହାଜ କୁହାଯାଉଛି। କିନ୍ତୁ ଏହା ମଧ୍ୟ ଏକ ଗୁଇନ୍ଦା ଜାହାଜ ବୋଲି ଜଣାପଡ଼ିଛି।

ଭାରତର ସାମରିକ କାର୍ଯ୍ୟକ୍ରମ ଏବଂ ସେନା ମୁତୟନ ଉପରେ ଏହି ଜାହାଜ ଗୁଇନ୍ଦାଗିରି କରିପାରେ ବୋଲି ଭାରତ ଚିନ୍ତା ପ୍ରକଟ କରିଥିଲା । ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ଚୀନ୍‌ର ଏହି ଜାହାଜ ହମ୍ବନତୋଟା ବନ୍ଦରରେ ଲାଗିବାର ଥିଲା। କିନ୍ତୁ ଭାରତର ଚାପରେ ଶ୍ରୀଲଙ୍କା ଏହାର ନିଷ୍ପତ୍ତି ବଦଳାଇ ଜାହାଜକୁ ଅଟକାଇଥିଲା। ତେବେ ଶ୍ରୀଲଙ୍କା ଏହି ବନ୍ଦରକୁ ୧.୧୨ ବିଲିଅନ୍‌ ଡଲାର୍‌ରେ ଚୀନ୍‌କୁ ୯୯ ବର୍ଷ ପାଇଁ ଲିଜ୍‌ରେ ଦେଇଛି। ଆଉ ଶେଷରେ ଆଜି ଏହି ବନ୍ଦରରେ ଗୁଇନ୍ଦା ଜାହାଜ ପହଞ୍ଚିଛି | ଭାରତୀୟ ରିପୋର୍ଟ ଅନୁଯାୟୀ ଉଆନ ୱାଙ୍ଗ ୫ ସ୍ପେସ ଏବଂ ସାଟେଲାଇଟ ଟ୍ରାକିଂ ପାଇଁ ମୁତୟନ ହୋଇପାରେ। ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ ‌କ୍ଷେପଣାସ୍ତ୍ର ଲଞ୍ଚ୍‌ ପାଇଁ ଏହାର ସ୍ବତନ୍ତ୍ର ବ୍ୟବହାର ରହିଛି। ଏହି ଜାହାଜ ଭାରତର ସାମରିକ କାର୍ଯ୍ୟକ୍ରମ ଉପରେ ଗୁଇନ୍ଦାଗିରି କରିପାରେ ।

ସମ୍ବନ୍ଧିତ ଖବର