ପଡିଆରେ ଚାଲେ ପଇଡ଼କୁ ନେଇ ଖେଳ, ଏହି ଖେଳରୁ ଅନୁପ୍ରାଣିତ ହୋଇଛି ରଗବି !

ଇମ୍ଫାଲ: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଦେଶକୁ ମ୍ୟାରି କମଙ୍କ ଭଳି ଅନେକ ସଫଳ ଖେଳାଳି ଉପହାର ଦେଇଛି | କିନ୍ତୁ ଆପଣ ଜାଣିଛନ୍ତି କି ଏହି ରାଜ୍ୟରେ ପଇଡ଼କୁ ନେଇ ଏମିତି ଏକ ଖେଳ ଖେଳାଯାଏ, ଯେଉଁ ଖେଳରୁ ବିଦେଶୀ ଖେଳ ରଗବି ଆସିଥିବାର ଅନୁମାନ କରାଯାଏ | ଏହି ଖେଳର ନାମ ହେଉଛି ୟୁବି ଲାକପି | ବହୁ ବର୍ଷ ହେଲା ମଣିପୁରରେ ଏହି ଖେଳ ଖେଳା ଯାଇଆସୁଛି  | ୟୁବି ଲାକପିର ଅର୍ଥ ହେଉଛି ପଇଡ଼ ଛଡ଼ାଇବା। ଏହାକୁ  ବଂଶାନୁକ୍ରମେ ଭାବେ  ମଣିପୁରରେ ଖେଳାଯାଉଛି | ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ ଆଧୁନିକ ଯୁଗରେ ଖେଳାଯାଉଥିବା ରଗବି ୟୁବି ଲାକପିରୁ ଆସିଛି |

Photo-Times Of India

ରଗବି ଖେଳରେ ବ୍ୟବହାର ହେଉଥିବା ବଲର ଓଜନ ୪୦୦ ଗ୍ରାମ ହୋଇଥିବା ବେଳେ ଏଥିରେ ପବନ ପଶିଥାଏ | କିନ୍ତୁ ୟୁବି ଲାକପିରେ ବ୍ୟବହାର ହେଉଥିବା ପଇଡ଼ ପାଖାପାଖି ୧ କିଲୋଗ୍ରାମ ହୋଇଥାଏ | ସେହିପରି ଖେଳ ଆରମ୍ଭ ହେବା ପୂର୍ବରୁ ଏହି ପଇଡ଼ରେ ତେଲ ଲଗାଯାଇଥାଏ | ଯାହାଫଳରେ ପଇଡ଼କୁ ଧରିବା କଷ୍ଟ ହୋଇଥାଏ | ତେଣୁ ପଇଡ଼କୁ ନେଇ ଧାଇଁବା ଓ ଗୋଲ କରିବା ରଗବି ଖେଳ ଅପେକ୍ଷା ଅଧିକ କଷ୍ଟକର ହୋଇଥାଏ | ଅନ୍ୟପଟେ ରଗବି ଖେଳରେ ଦୁଇଟି ଗୋଲ ପୋଷ୍ଟ ଥିବା ବେଳେ ୟୁବି ଲାକପିରେ ଗୋଟିଏ ଗୋଲ ପୋଷ୍ଟ ରହିଥାଏ | ଏହି ଗୋଲ ପୋଷ୍ଟ ପଛପଟେ ଗାଁର ମୁଖିଆ ବସିଥାନ୍ତି |

ଗୋଲ କରିବା ପରେ ମୁଖିଆଙ୍କୁ ପଇଡ଼ ଦିଆଯାଇଥାଏ | ମୁଖିଆ ଗୋଲ କରିଥିବା ଖେଳାଳିଙ୍କୁ ସମ୍ମାନିତ କରିଥାନ୍ତି | ଏହି ଖେଳକୁ ନେଇ ଇତିହାସ କହେ ଯେ ପୂର୍ବ ସମୟରେ ରାଜା ମହାରାଜା ସେନା ବାହିନୀକୁ ଶକ୍ତିଶାଳୀ କରିବା ପାଇଁ ଦକ୍ଷ ଯୋଦ୍ଧାଙ୍କ ଅନୁସନ୍ଧାନ ଏହି ଖେଳ ମାଧ୍ୟମରେ କରୁଥିଲେ | ଯିଏ ଏହି ଖେଳରେ ବିଜୟୀ ହେଉଥିଲେ ସେମନଙ୍କୁ ସିଧାସଳଖ ସେନାବାହିନୀରେ ସାମିଲ କରାଯାଉଥିଲା | ଦିନକୁ ଦିନ କିନ୍ତୁ ଏହି ଖେଳ ପ୍ରତି ଖେଳାଳିଙ୍କର ରୁଚି କମିବାରେ ଲାଗିଛି |

ସମ୍ବନ୍ଧିତ ଖବର