ଢାକା: ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)ର ବିକ୍ଷୋଭ ଏବଂ ଦିନକ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନଙ୍କ କଡ଼ା ଚେତାବନୀ ପରେ ଏହା ଘଟିଛି। ସରକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଛାତ୍ର ନେତାମାନେ ଯୁବକ ଓ ଇସଲାମବାଦୀଙ୍କୁ ଏକାଠି କରି ଢାକାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆର୍ମି କ୍ୟାଣ୍ଟନମେଣ୍ଟ ଅଭିମୁଖେ ପଦଯାତ୍ରା କରୁଛନ୍ତି। ଢାକା ବିଭିନ୍ନ ଗୋଷ୍ଠୀର ବିକ୍ଷୋଭକୁ ନେଇ ଅଶାନ୍ତ ହୋଇଉଠିଥିବା ବେଳେ ହିଂସା ଏଡ଼ାଇବା ପାଇଁ ସେନା ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ୟୁନୁସଙ୍କ ଇସ୍ତଫା ଧମକକୁ ନିର୍ବାଚନ କରାଇବାକୁ ଚାହୁଥିବା ସେନାମୁଖ୍ୟଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାର ଏକ ଷଡ୍‌ଯନ୍ତ୍ର ଭାବେ ଦେଖାଯାଉଛି। ନିର୍ବାଚନ ହେଲେ ବାଂଲାଦେଶର ବାସ୍ତବ ‘ପ୍ରଧାନମନ୍ତ୍ରୀ’ ଭାବେ ୟୁନୁସଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଆୱାମୀ ଲିଗ୍‌କୁ ନିଷିଦ୍ଧ କରିବାଠାରୁ ଆରମ୍ଭ କରି ମହିଳା ସଂସ୍କାରକୁ ରୋକିବା, ଭିଡ଼ ଆକ୍ରମଣ ଏବଂ ମୁଜିବୁର ରେହମାନଙ୍କ ଧାନମଣ୍ଡି ବାସଭବନକୁ ଧ୍ବଂସ କରିବା ପର୍ଯ୍ୟନ୍ତ  ସବୁ କ୍ଷେତ୍ରରେ ୟୁନୁସଙ୍କ ପରୋକ୍ଷ ସମର୍ଥନ ରହିଛି। ବାଂଲାଦେଶ ରାଜଧାନୀରେ ଶୁକ୍ରବାର ବ୍ୟାପକ ବିକ୍ଷୋଭ ହୋଇଛି। ମୁଖ୍ୟ ଉପଦେଷ୍ଟାଙ୍କ ସମର୍ଥକମାନେ ଶନିବାର (ମେ ୨୪) ଢାକାର ଶାହାବାଗ ଅଞ୍ଚଳରେ ‘ୟୁନୁସଙ୍କ ପାଇଁ ପଦଯାତ୍ରା’ରେ ଯୋଗ ଦେବାକୁ ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତି। ସେମାନଙ୍କର ଦୁଇଟି ଦାବି ଥିଲା- ‘ୟୁନୁସଙ୍କୁ ପାଞ୍ଚ ବର୍ଷ ପାଇଁ କ୍ଷମତାରେ ରହିବା ସୁଯୋଗ ମିଳୁ’ ଏବଂ ‘ପ୍ରଥମେ ସଂସ୍କାର, ପରେ ନିର୍ବାଚନ’ ନୀତିକୁ ଗ୍ରହଣ କରାଯାଉ। ଗତବର୍ଷର ଆନ୍ଦୋଳନର ଅନ୍ୟତମ ନେତା ତଥା ଛାତ୍ରମାନଙ୍କ ଦ୍ୱାରା ଗଠିତ ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନ୍‌ସିପି)ର ଆବାହକ ନାହିଦ ଇସଲାମ କହିଛନ୍ତି ଯେ ମହମ୍ମଦ ୟୁନୁସ ବର୍ତ୍ତମାନର ରାଜନୈତିକ ବାତାବରଣ ଓ ପ୍ରତିବାଦ ମଧ୍ୟରେ ତାଙ୍କ କାର୍ଯ୍ୟ ଜାରି ରଖିବାରେ ଅସମର୍ଥ ଥିବାରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ନବଗଠିତ ଏନ୍‌ସିପିର ନେତୃତ୍ୱ ନେବା ପାଇଁ ନାହିଦ ଫେବ୍ରୁଆରିରେ ୟୁନୁସଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।

ଏନ୍‌ସିପିର ଅନ୍ୟ ଜଣେ ଶୀର୍ଷ ନେତା ଅରିଫ ଇସଲାମ ଅଦିବ କହିଛନ୍ତି ଯେ  ନାହିଦ ୟୁନୁସଙ୍କୁ ତାଙ୍କୁ ପଦରେ ରହିବାକୁ ଅନୁରୋଧ କରିଛନ୍ତି ଏବଂ ବାଂଲାଦେଶକୁ ଅସ୍ଥିରତାରୁ ମୁକ୍ତି ଦେବାକୁ ଏହା ଜରୁରୀ ବୋଲି କହିଛନ୍ତି।  ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍‌କୁ ରାଜନୈତିକ କାର୍ଯ୍ୟକଳାପରୁ ନିଷିଦ୍ଧ କରାଯାଇଥିବାରୁ ବାଂଲାଦେଶର ଅନ୍ୟ ଏକ ପ୍ରମୁଖ ଦଳ ବିଏନ୍‌ପି ଏହାକୁ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବାର ସ୍ପଷ୍ଟ ସୁଯୋଗ ଭାବରେ ଦେଖୁଛି। କିନ୍ତୁ ନାହିଦ ଇସଲାମଙ୍କ ଏନ୍‌ସିପିର ସୁବିଧା ପାଇଁ ଆହୁରି ବିଳମ୍ବର ବ୍ୟବହାର କରାଯାଇପାରେ ବୋଲି ବିଏନ୍‌ପି ଆଶଙ୍କା କରୁଛି। ବିଏନ୍‌ପି ନେତାଙ୍କ ଅଭିଯୋଗ ହେଉଛି, ୟୁନୁସ ଛାତ୍ର ଓ ଇସଲାମିକ ଭିଡ଼କୁ ନିଜର ସୈନିକ ଭାବରେ ବ୍ୟବହାର କରୁଛନ୍ତି ଏବଂ ନିର୍ବାଚନ ନ କରି କ୍ଷମତାରେ ରହିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର କଡ଼ା ଚେତାବନୀ ଦେଇଛନ୍ତି ଯେ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରକୁ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ପଡ଼ିବ। ବିଶେଷଜ୍ଞ ଓ ସମୀକ୍ଷକମାନେ ଆଶଙ୍କା କରିଛନ୍ତି ଯେ ୟୁନୁସ୍ ୧୯୭୨ ସମ୍ବିଧାନକୁ ଉଚ୍ଛେଦ କରି ଏବଂ ଜେନେରାଲ ଜମାନଙ୍କୁ ହଟାଇ କ୍ଷମତାରେ ରହିବା ପାଇଁ ଚେଷ୍ଟା କରିପାରନ୍ତି।