ଯୁବାକ୍ଷୀ ହେଲେ ସିବିଏସଇ ଟପ୍ପର, ରଖିଲେ ୧୦୦% ନମ୍ବର

ନୋଇଡା : ଉତ୍ତରପ୍ରଦେଶ ନୋଇଡାର ଯୁବାକ୍ଷୀ ବିଗ୍ ସିବିଏସଇ ୧୨ଶ ଶ୍ରେଣୀ ପରୀକ୍ଷାରେ ପରଫେକ୍ସ ରେଜଲ୍ଟ ହାସଲ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପରଫେକ୍ଟ ରେଜଲ୍ଟ ଅର୍ଥ ସେ ମୋଟ ୫୦୦ ମାର୍କରୁ ୫୦୦ ହାସଲ କରିଛନ୍ତି ।

ନୋଇଡା ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଯୁବାକ୍ଷୀ ସିବିଏସଇ ୧୨ଶ ପରୀକ୍ଷାରେ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ସାଇକୋଲୋଜୀ (ମନସ୍ତତ୍ତ୍ବ) ଓ ଚିତ୍ରକଳା ପରୀକ୍ଷା ଦେଇଥିଲେ । ଏସବୁ ପେପରରେ ସେ ୧୦୦ରୁ ୧୦୦ ମାର୍କ ରଖିଛନ୍ତି । ଫଳରେ ମୋଟ ୫୦୦ ମାର୍କରୁ ସେ ୫୦୦ ରଖିପାରିଛନ୍ତି ।

ପିଲାଙ୍କ ମଧ୍ୟରେ ଅଯଥା ପ୍ରତିଯୋଗିତାକୁ ରୋକିବାକୁ ସିବିଏସଇ ପକ୍ଷରୁ ଟପ୍ପର ତାଲିକା ପ୍ରକାଶ କରାଯାଏ ନାହିଁ । ତେବେ ପରଫେକ୍ଟ ରେଜଲ୍ଟ ହାସଲ କରିଥିବାରୁ ତାଙ୍କୁ ଅନୌପଚାରିକ ଭାବେ ସିବିଏସଇ ଟପ୍ପର ବୋଲି କୁହାଯାଉଛି ।

ଏହି ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଯୁବାକ୍ଷୀ କହିଛନ୍ତି ଯେ ସେ ଗଭୀର ମନଯୋଗ ସହ ପରିଶ୍ରମ କରିଚାଲିଥିଲେ । କିନ୍ତୁ ପ୍ରକୃତରେ ରେଜଲ୍ଟ ଏପରି ହେବ ବୋଲି ସେ ଭାବିନଥିଲେ ବୋଲି କହିଛନ୍ତି ।

ଶତ ପ୍ରତିଶତ ମାର୍କ ରଖିଥିଲେ ବି ସେ ନିଜର ପସନ୍ଦଯୋଗ୍ୟ ବିଶ୍ବବିଦ୍ୟାଳୟ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇବେ କି ନା ସେ ସମ୍ପର୍କରେ ଏବେ ବି ସନ୍ଦିହାନ ଅଛନ୍ତି । କାରଣ ଏଥିପାଇଁ ତାଙ୍କୁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପାଶ କରିବାକୁ ହେବ । ତାଙ୍କର ଆଉ ଗୋଟିଏ ସିୟୁଇଟି ପେପର ବାକି ଅଛି ।

 

ସମ୍ବନ୍ଧିତ ଖବର