ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ରବିନ୍ ଉଥାପ୍ପା ଓ ଯୁବରାଜ ସିଂହଙ୍କ ସମେତ ଅଭିନେତା ସୋନୁ ସୁଦ୍ ବେଆଇନ ବେଟିଂ ଆପ୍ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ହରଡ଼ଘଣାରେ ପଡ଼ିଛନ୍ତି। ଏହି ତିନିଜଣଙ୍କୁ ଆସନ୍ତା ସପ୍ତାହରେ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡକାଇଛି। ସୋମବାର ଉଥାପ୍ପା, ମଙ୍ଗଳବାର ଯୁବରାଜ ଏବଂ ବୁଧବାର ସୋନୁ ସୁଦ୍ଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିବ। କ୍ରିକେଟ୍ ମ୍ୟାଚ୍ର ଲାଇଭ୍ ସ୍କ୍ରିନିଂ ସମୟରେ ବାରମ୍ବାର ବିଜ୍ଞାପନ ଦେଉଥିବା ବେଟିଂ ଆପ୍ ଦ୍ୱାରା ମନିଲଣ୍ଡରିଂ ଓ ଟିକସଫାଙ୍କି ଘଟଣାର ଅନୁସନ୍ଧାନ କରୁଥିବା ଇଡି ବର୍ତ୍ତମାନ ଅନ୍ୟ ଦୁଇ ପୂର୍ବତନ କ୍ରିକେଟର୍ ଶିଖର ଧାୱନ, ସୁରେଶ ରାଇନା, ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି।
ବେଟିଂ ଆପ୍ର ବ୍ରାଣ୍ଡ୍ ପ୍ରତିନିଧି ଉର୍ବଶୀ ରାଉତେଲା ଆଜି ବଙ୍ଗୀୟ ଅଭିନେତା ଅଙ୍କୁଶ ହାଜରାଙ୍କ ସହ ଜେରାର ସମ୍ମୁଖୀନ ହୋଇଥିଲେ। ସୋମବାର ଏଜେନ୍ସି ମିମି ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଛି। ଗତ ସପ୍ତାହରେ ଇଡିର ଦିଲ୍ଲୀ କାର୍ଯ୍ୟାଳୟରେ ଶିଖର ଧାୱନଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା। ଅଗଷ୍ଟ ଆରମ୍ଭରେ ରାଇନାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଜୁନ୍ ମାସରେ ଅନ୍ୟ ଜଣେ ପୂର୍ବତନ କ୍ରିକେଟର୍ ହରଭଜନ ସିଂହଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ୨୦୨୩ ମସିହାରେ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମାଧ୍ୟମରେ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ, ଯେଉଁଥିରେ ଗଣମାଧ୍ୟମ ଓ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଦ୍ବାରା କୌଣସି ବେଟିଂ ଆପ୍ କିମ୍ବା ସାଇଟ୍ର ବିଜ୍ଞାପନ ନ କରିବାକୁ କୁହାଯାଇଥିଲା।