ଲାଲୁଙ୍କୁ ଆଉ ମିଳିବନି ଜେଡ୍‌ ପ୍ଲସ୍‌ ସୁରକ୍ଷା : ଏଣିକି ଏନ୍ଏସଜି କମାଣ୍ଡୋ ନୁହେଁ, ଜଗିବେ ସିଆର୍‌ପିଏଫ୍‌

ଉପ-ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ମହଙ୍ଗା ପଡ଼ିଲା ତେଜ୍‌ ପ୍ରତାପଙ୍କୁ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ପୂର୍ବରୁ ମିଳୁଥିବା ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପ୍ରତ୍ୟାହାର କରି ନେଇଛନ୍ତି। ଏଣିକି ଲାଲୁଙ୍କୁ ‘ଜେଡ୍‌ ପ୍ଲସ୍‌’ କାଟାଗୋରି ସୁରକ୍ଷା ବଦଳରେ କେବଳ ‘ଜେଡ୍‌’ କାଟାଗୋରି ସୁରକ୍ଷା ଉପଲବ୍ଧ ହେବ। ଏବଂ ନ୍ୟାସନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସଜି)ର କମାଣ୍ଡୋଙ୍କ ବଦଳରେ ଏବେ ଲାଲୁଙ୍କୁ ସିଆର୍‌ପିଏଫ୍‌ ଜବାନଙ୍କ ସୁରକ୍ଷା ବଳୟ ମିଳିବ।

ତେବେ, କେନ୍ଦ୍ର ସରକାରଙ୍କର ଏପରି ନିଷ୍ପତ୍ତିର ଘୋର ବିରୋଧ କରିଛନ୍ତି ଲାଲୁଙ୍କ ସୁପ୍ରତ୍ର ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ୍‌ ପ୍ରତାପ। ନିଜ ପ୍ରତିକ୍ରିୟାରେ ତେଜ୍‌ ପ୍ରତାପ କହିଛନ୍ତି, ‘ଈଶ୍ୱର କ୍ଷମା କରନ୍ତୁ! ଯଦି ଏପରି ନିଷ୍ପତ୍ତି ପରିପ୍ରେକ୍ଷୀରେ ଲାଲୁ ପ୍ରସାଦଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚେ; ତେବେ ଏଥିପାଇଁ କେବଳ ମାତ୍ର ନରେନ୍ଦ୍ର ମୋଦି ଓ ନୀତୀଶ କୁମାର ହିଁ ଦାୟୀ ରହିବେ।’ ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଟୁ ସମାଲୋଚନା କରି ସେ କହିଛନ୍ତି ଯେ ତାଙ୍କ ପିତା ଲାଲୁଙ୍କୁ ହତ୍ୟା କରିବା ପାଇଁ ଏକ ଯୋଜନାବଦ୍ଧ ଷଡ଼୍‍ଯନ୍ତ୍ର ଚାଲିଛି।

ତେବେ, ଯାହା ଜାଣିବାକୁ ମିଳିଛି କେବଳ ମାତ୍ର ଲାଲୁ ନୁହନ୍ତି; ଲାଲୁଙ୍କ ସମେତ ବିହାରର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ଜତିନ୍‌ ରାମ୍‌ ମାନ୍‌ଝୀଙ୍କର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି। ମାନ୍‌ଝୀଙ୍କୁ ଏବେ ବିହାର ରାଜ୍ୟ ପୁଲିସ୍‌ ପ୍ରଶାସନ ଅଧୀନରେ ଥିବା ସ୍ପେଶାଲ ସିକ୍ୟୁରିଟି ଗ୍ରୁପ୍‌ (ଏସ୍‌ଏସ୍‌ଜି)ର ସୁରକ୍ଷା କବଚ ମିଳିବ।

Zeenews

ଅନ୍ୟପକ୍ଷରେ, ଆଲୋଚନା ଚାଲିଛି ଯେ ତେଜ୍‌ ପ୍ରତାପ, ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ୍‌ ମୋଦିଙ୍କୁ ଯେପରି ଖୋଲାଖୋଲି ଧମକ ଦେଲେ, ତାହାର ଫଳ ଏବେ ଲାଲୁଙ୍କୁ ଭୋଗ କରିବା ପାଇଁ ପଡ଼ିଲା।

ଉଲ୍ଲେଖଯୋଗ୍ୟ, ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପୁଅ ବାହାଘରର ଭୋଜି ଉତ୍ସବ ଡିସେମ୍ବର ୩ ତାରିଖରେ ପାଟନା ରାଜେନ୍ଦ୍ର ନଗର ଶିଖା ମୈଦାନ୍‌ରେ ଆୟୋଜିତ ହେବାର ଥିଲା। ତେବେ, ତେଜ୍‌ ପ୍ରତାପ ଏହାର ବିରୋଧ କରିବା ସହ ଏକ ସାଧାରଣ ସଭାରେ କହିଥିଲେ, ‘ମୁଁ ମୋଦିଙ୍କ ପୁଅ ବାହାଘରର ଭୋଜି ଉତ୍ସବକୁ ନିମନ୍ତ୍ରିତ ହୋଇଛି। ଆଉ ମୁଁ ଯଦି ସେଠାକୁ ଯାଏ ତେବେ ସର୍ବ ସାଧାରଣରେ ମୋଦିଙ୍କ ମୁଖା ଖୋଲିଦେବି।’ ତେଜ୍‌ ପ୍ରତାପଙ୍କ ଏହି ଧମକ ପରେ ଉପ-ମୁଖ୍ୟମନ୍ତ୍ରୀ ମୋଦି ତାଙ୍କ ପୁଅ ବାହାଘରର ଭୋଜି ସ୍ଥଳକୁ ସୁରକ୍ଷା ଦୃଷ୍ଟିକୋଣରୁ ପାଟନା ବିମାନ ବନ୍ଦର ନିକଟବର୍ତ୍ତୀ ଭେଟରନାରି କଲେଜ ଗ୍ରାଉଣ୍ଡକୁ ଉଠାଇ ନେଇଥିଲେ।

ତେବେ, ଏହି ଘଟଣାରେ ଲାଲୁ ତାଙ୍କର ପୁତ୍ର ତେଜ୍‌ ପ୍ରତାପଙ୍କ ସମର୍ଥନ କରି ରବିବାର କହିଥିଲେ ଯେ, ମୋ ପୁଅ ଗୁଣ୍ଡା କିମ୍ବା ବଦମାସ ନୁହେଁ। ତେବେ, ତା’ର ଛୋଟିଆ ଏକ ଧମକରେ ଡରିଯାଇ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଯେପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ।

ସମ୍ବନ୍ଧିତ ଖବର