ଜିସାଟ୍‌-୭ଏର ସଫଳ ଉତ୍‌କ୍ଷେପଣ

ବାୟୁସେନାର ଶକ୍ତି ବୃଦ୍ଧି କରିବ

ନୂଆଦିଲ୍ଲୀ,: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଜିସାଟ୍‌-୭ଏ ଉପଗ୍ରହର ସଫଳ ଉତ୍‌କ୍ଷେପଣ କରିଛି। ଏହି ଉପଗ୍ରହ ପ୍ରତିରକ୍ଷା ବାହିନୀରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ବିଶେଷ କରି ବାୟୁସେନା ପାଇଁ ନିର୍ମାଣ ହୋଇଥିବା ଏହି ଉପଗ୍ରହକୁ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଜିଏସଏଏଲଭି-ଏଫ୍‌୧୧ ର‌କେଟ୍‌ ଦ୍ବାରା ଉତ୍‌କ୍ଷେପଣ କରାଯାଇଛି। ଉତ୍‌କ୍ଷେପଣ ହେବାର ୨୦ ମିନିଟ୍‌ ମଧ୍ୟରେ ଏହା କକ୍ଷପଥରେ ସଠିକ୍ ଭାବେ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି। ଏହି ଉପଗ୍ରହ ବାହୁସେନା ବାହିନୀରେ ରାଡାର ଷ୍ଟେସନ୍‌, ସେନାଘାଟି ଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ସହ ବାୟୁସେନାର ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଅଧିକ ସହଜ କରିବ। ସ୍ଥଳ ସେନାରେ ମଧ୍ୟ ସଞ୍ଚାର ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ। ଇସ୍ରୋର ଏହି ୩୯ ତମ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୭ଏ ୮ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଦେବ। ୨,୨୫୦ କିଲୋଗ୍ରାମ୍‌ ଓଜନ ବିଶିଷ୍ଟ ଏହି ଉପଗ୍ରହ ମଧ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ଲିକ୍‌ ହେବାର ସମ୍ଭାବନାକୁ କମାଇଦେବ। ସାରା ବୈଶ୍ବିକ ସ୍ତରରେ ଏହା ବାୟୁସେନାର ଶକ୍ତି ବୃଦ୍ଧି କରିବ। ଏହା ଅନେକ ଦୂରରୁ କୌଣସି ଶତ୍ରୁ ପକ୍ଷର ବିମାନ, ଜାହାଜ ଏବଂ ଅନ୍ୟ କୌଣସି ଯାନକୁ ଚିହ୍ନଟ କରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇପାରିବ। ଉଲ୍ଲେଖଯୋଗ୍ୟ ଭାରତୀୟ ନୌସେନା ବାହିନୀକୁ ଏହି ସମାନ ପ୍ରକାରର ଏକ ଉପଗ୍ରହ ଜିସାଟ୍‌-୭ ମିଳିସାରିଛି। ୨୦୧୩ ମସିହାରେ ଏହି ଉପଗ୍ରହ ଲଞ୍ଚ୍‌ ହୋଇଥିଲା।

ସମ୍ବନ୍ଧିତ ଖବର