ବିମାନରେ ଜାୟରା ଓ୍ଵାସିମ୍‌ଙ୍କୁ ଅସଦାଚରଣ

ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ, ନୋ-ଫ୍ଲାଏ ତାଲିକାରେ ରଖାଯିବ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ଦଙ୍ଗଲ ଫିଲ୍ମ ଅଭିନେତ୍ରୀ ଜାୟରା ଓ୍ଵାସିମ୍‌ଙ୍କୁ ବିମାନରେ ଅସଦାଚରଣ କରାଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅଭିନେତ୍ରୀ ଜଣକ ନାବାଳିକା ହୋଇଥିବାରୁ ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଓ ଭାରତୀୟ ଦଣ୍ଡବିଧି ଧାରା ୩୫୪(ଯୌନ ନିର୍ଯ୍ୟାତନା)ରେ ମାମଲା ଦାୟର ହୋଇଛି । ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତକୁ ନୋ-ଫ୍ଲାଏ ତାଲିକାଭୁକ୍ତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି । ଅସଦାଚରଣ ମାମଲାରେ ଅଭିଯୁକ୍ତ ସଂପର୍କିତ ସମସ୍ତ ତଥ୍ୟ ଏୟାରଲାଇନ୍ସ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି ।

ମିଳିଥିବା ତଥ୍ୟ ମୁତାବକ ଜାୟରା ଶନିବାର ଭିସ୍ତାରା ଏୟାରଲାଇନ ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିବା ବେଳେ ଏହି ଘଟଣା ଘଟିଛି । ସମସ୍ତ ଘଟଣା ଜାୟରା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକଉଣ୍ଟରେ ପୋଷ୍ଟ କରିଥିବା ବେଳେ ମୁମ୍ବାଇରେ ପହଞ୍ଚିବା ପରେ ପୁଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ବୟାନ ମୁତାବକ ଅଭିଯୁକ୍ତ ବିମାନରେ ଠିକ୍‌ ତାଙ୍କ ପଛ ସିଟ୍‌ରେ ବସିଥିଲା । ଅଳ୍ପ ଆଲୁଅର ଫାଇଦା ନେଇ ସେ ଜାୟରାଙ୍କୁ ଅସଦାଚରଣ କରିଥିଲା। ଏନେଇ ଜାୟରା ବିମାନରେ ଥିବା କର୍ମଚାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ଫାଇଦା ମିଳିନଥିଲା। ଅଭିଯୁକ୍ତ ଜଣକ ବାରମ୍ବାର ଏଭଳି କାର୍ଯ୍ୟ କରିବା ଦ୍ୱାରା ଜାୟରା ଅସହାୟ ଅନୁଭବ କରିଥିବା କହିଛନ୍ତି ।

ସମ୍ବନ୍ଧିତ ଖବର