ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଉଥିବା  ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି।  ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

Advertisment

ଜାକିରଙ୍କ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଅତୁଳନୀୟ ଅବଦାନ ରହିଛି । ଭାରତ ସରକାର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ଜାକିରଙ୍କୁ ସମ୍ମାନିତ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।

ଜାକିରଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ‌ସେ ଆମେରିକାରେ ଏଣ୍ଟୋନିଆ ମେନିକୋଲାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦୁହେଁ ଅନେକ ଦିନ ଡେଟିଂ କରିବା ପରେ ଘରେ କାହାକୁ କିଛି ନଜଣାଇ ସିକ୍ରେଟ ମ୍ୟାରେଜ କରିଥିଲେ।

ଏକ ସାକ୍ଷାତକାରରେ ଜାକିର ନିଜର ପ୍ରେମ ବିବାହକୁ ନେଇ କହିଥିଲେ, ‘ମୁଁ ଜାଣିଥିଲି ମୋ ମା’ କିପରି। ତେଣୁ ଏହା ବି ଜାଣିଥିଲି ମୁଁ ଏଣ୍ଟୋନିଆ ମେନିକୋଲାଙ୍କୁ ଭଲ ପାଉଛି ଆଉ ବିବାହ କରିବାକୁ ଚାହୁଁଛି ବୋଲି କହିଥିଲେ ମା’ ମୋ ପ୍ରସ୍ତାବକୁ ରୋକଠୋକ ମନା କରି ଦେଇଥାଆନ୍ତେ।  

ତେଣୁ ମୁଁ ଘରେ କାହାକୁ କିଛି ନଜଣାଇ ଏଣ୍ଟୋନିଆ ମେନିକୋଲାଙ୍କୁ ବିବାହ କରିଥିଲି। ବିବାହ ପରେ ମା’ଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲି। ମୋର ବିବାହ କଥା ଶୁଣି ମା’ ଦୁଃଖୀ ହୋଇଯାଇଥିଲେ।’