ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଛି।
ଜାଲକିରଙ୍କ ମୃତ୍ୟୁ ପରେ ତାଙ୍କ ସହିତ ଜଡ଼ିତ ଅନେକ ଖବର ସାମ୍ନାକୁ ଆସୁଛି। ଲୋକେ ଜାକିରଙ୍କ ସହିତ ବିତାଇଥିବା ସମୟକୁ ମନେ ପକାଇ ପୋଷ୍ଟ ସେୟାର କରୁଛନ୍ତି।
ଜାକିର ଏକ ପୁସ୍ତକ ଲେଖିଥିଲେ ଯାହାର ଶୀର୍ଷକ ରହିଛି, ‘ଜାକିର ହୁସେନ: ଏ ଲାଇଫ ଇନ ମ୍ୟୁଜିକ।’ ଏହି ପୁସ୍ତକ ମାଧ୍ୟମରେ ଜାକିର ତାଙ୍କ ଜୀବନରେ ଘଟିଥିବା କିଛି ଘଟଣାକୁ ଉଲ୍ଲେଖ କରିଛନ୍ତି।
ଏଥିରେ ଜାକିର ଲେଖିଛନ୍ତି, ‘ ପରିବାରଲୋକ କହନ୍ତି ମୁଁ ଜନ୍ମ ହେବାପରେ ମୋ ବାପାଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା। ଏହାକୁ ନେଇ ପରିବାରଲୋକ ମୋ ମା’ଙ୍କୁ କହିଥିଲେ ମୁଁ ଅଶୁଭ ସନ୍ତାନ। ମା’ ବି ଲୋକଙ୍କ କଥାରେ ମୋତେ ଅଶୁଭ ସନ୍ତାନ ବୋଲି ଭାବି ନେଇଥିଲେ।
ଜନ୍ମ ହୋଇ ଘରକୁ ଆସିବା ପରେ ମା’ ମୋତେ କ୍ଷୀର ପିଆଇ ନଥିଲେ। ମା’ ମୋର ଦେଖାଶୁଣା ନକରିବାରୁ ପରିବାର ସହିତ ଘନିଷ୍ଠ ଥିବା ଜଣେ ମହିଳା ମୋର ଯତ୍ନ ନେବା ଆରମ୍ଭ କରିଥିଲେ।
ଏଭଳି ସମୟରେ ଜଣେ ଜ୍ଞାନୀ ବାବା ଆମ ଘରକୁ ଆସିଥିଲେ। ସେ ମୋ ମା’ଙ୍କ ନାମ ନେଇ ଡାକିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାରଣ ସେ ଜ୍ଞାନୀ ବାବାଙ୍କୁ ପରିବାରର କୌଣସି ସଦସ୍ୟ ଚିହ୍ନ ନଥିଲେ କି ଆଗରୁ ଦେଖି ନଥିଲେ। ତଥାପି ସେ ମୋ ମା’ଙ୍କ ନାମ ଧରି ଡାକିଥିଲେ। ଏଥିସହିତ ମୋର ଜନ୍ମ ବିଷୟରେ ବି ସେ ମା’ଙ୍କୁ କହିଥିଲେ।
ଜ୍ଞାନୀ ବାବା ମା’ଙ୍କୁ ଘର ଦ୍ବାର ପାଖକୁ ଡାକି କହିଥିଲେ, ‘ବାବି ବେଗମ ତୁମର ଏକ ପୁତ୍ର ସନ୍ତାନ ହୋଇଛି। ଆଗାମୀ ୪ବର୍ଷ ତା’ପାଇଁ ବିପଦପୂର୍ଣ୍ଣ ରହିଛି। ତାହାର ଯତ୍ନ ନିହାତି ନେବ। ସେ ହିଁ ତୁମ ସ୍ବାମୀଙ୍କୁ ବଞ୍ଚାଇବ। ତାର ନାମ ରଖିବ ହୁସୈନ। ୪ବର୍ଷ ଧରି ତୁମେ ପୁଅର ଯେତେ ଯତ୍ନ ନେବ ତୁମ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ସେତେ ସୁଧାର ଆସିବ। ଏହାପର ଠାରୁ ମୁଁ ମା’ଙ୍କ ସ୍ନେହ ପାଇଲି। ଆଶ୍ଚର୍ଯ୍ୟର କଥା ମୋ ସ୍ବାସ୍ଥ୍ୟ ଯେତିକି ଖରାପ ହୋଇ ଚାଲିଥାଏ ବାପାଙ୍କ ଶରୀର ସେତିକି ସୁସ୍ଥ ହୋଇହୋଇ ଆସୁଥାଏ।ଏପରି ଚାରିବର୍ଷ ବିତିଯିବା ପରେ ବାପା ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଥିଲୁ।