ଜାକିର ନାଏକକୁ ଭାରତ ଅଣାଯିବ ! ଓମାନରୁ ହୋଇପାରେ ପ୍ରତ୍ୟାର୍ପଣ
ନୂଆଦିଲ୍ଲୀ : ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କୁ ଓମାନରୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ମାର୍ଚ୍ଚ ୨୩ରୁ ନାଏକ ଓମାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଭାରତୀୟ ଗୁଇନ୍ଦା ଏଜେନ୍ସି ତାଙ୍କୁ ହେପାଜତକୁ ନେବା ପାଇଁ ଓମାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗୁଇନ୍ଦା ସୂତ୍ରରୁ ଉଦ୍ଧାର କରି ଏକ ଭାରତୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଓମାନରେ ଦୁଇଟି ଭାଷଣ ଦେବା ପାଇଁ ନାଏକଙ୍କୁ ନିମନ୍ତ୍ରଣ କରାଯାଇଛି। ରମଜାନ ମାସର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରେ ଓମାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର ପ୍ରଥମ ପ୍ରବଚନ ଆୟୋଜନ କରାଯାଇଛି । ସେହିପରି ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟାରେ ସୁଲତାନ କାବୁସ୍ ବିଶ୍ୱବିଦ୍ୟାଳୟରେ ଦ୍ବିତୀୟ ପ୍ରବଚନ ଅନୁଷ୍ଠିତ ହେବ ।
ଓମାନରେ ଥିବା ଭାରତୀୟ ଦୂତାବାସ ସେଠାକାର ପୁଲିସ ସହ ଯୋଗାଯୋଗରେ ରହି ସେମାନଙ୍କୁ ସ୍ଥାନୀୟ ଆଇନ ଅନୁଯାୟୀ ଅଟକ ରଖିବା ପରେ ସେମାନଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ କରୁଛି । ସେମାନଙ୍କ ଅନୁରୋଧ କ୍ରମେ ସ୍ଥାନୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ହେପାଜତକୁ ନେବାର ଦୃଢ଼ ସମ୍ଭାବନା ରହିଛି ବୋଲି ଭାରତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ ।
ଭାରତରେ ତା ବିରୋଧରେ ଘୃଣା ସୃଷ୍ଟିକାରୀ ଭାଷଣ, ବେଆଇନ ଅର୍ଥ କାରବାର ଆଦି ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଛି । ସେ ଗତ ୨୦୧୭ରେ ଭାରତରୁ ଫେରାର ହୋଇ ମାଲେସିଆରେ ରହୁଛି । ତା’ ଦ୍ବାରା ସ୍ଥାପିତ ପିସ୍ ଟିଭିକୁ ଭାରତ, ବ୍ରିଟେନ, ଶ୍ରୀଲଙ୍କା ସମେତ କେତେକ ଦେଶରେ ନିଷିଦ୍ଧ କରାଯାଇଛି ।