ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ ନାମ ଥିବା ଏବଂ ବଲିଉଡ ସହିତ ଗଭୀର ସମ୍ପର୍କ ଥିବା ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳି କରି ହତ୍ୟା କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା ଏବଂ ସେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ।  ଏହା ସହିତ ସେ ସାମାଜିକ ସେବା ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ | ଏବେ ତାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ପୁଅ ଜିଶାନ୍ ସିଦ୍ଦିକି ସକ୍ରିୟ ହୋଇଛନ୍ତି। ହତ୍ୟାକାରୀକୁ ଜବାବ ଦିଆଯିବ ବୋଲି ସେ ଏକ୍ସରେ ପୋଷ୍ଟ କରି ଜଣାଇସାରିଛନ୍ତି।

Advertisment

ଏମଧ୍ୟରେ ଜିଶାନଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ବଲିଉଡ ଅଭିନେତା ତଥା ବାବା ସିଦ୍ଦିକିଙ୍କ ଭଲ ବନ୍ଧୁ ସଲମାନ ଖାନଙ୍କ ବିଷୟରେ କହିଛନ୍ତି। ତାଙ୍କ କହିବା ମୁତାବକ, “ବାପାଙ୍କ ହତ୍ୟା ପରେ ସଲମାନ ଭାଇ ଅତ୍ୟନ୍ତ ଦୁଃଖିତ ଅଛନ୍ତି। ବାପା ଏବଂ ସଲମାନ ଭାଇ ପ୍ରକୃତ ଭାଇମାନଙ୍କ ପରି ଘନିଷ୍ଠ ଥିଲେ | ବାପାଙ୍କ ମୃତ୍ୟୁ ପରେ ସଲମାନ ଭାଇ ଆମ ପରିବାରକୁ ବହୁତ ସମର୍ଥନ କରିଛନ୍ତି | ସେ ସବୁବେଳେ ମୋ ବିଷୟରେ ପଚାରି ବୁଝନ୍ତି। ପ୍ରତିଦିନ ରାତିରେ ସେ ମୋ ସହିତ କଥା ହୁଅନ୍ତି ଏବଂ ରାତିରେ ଶୋଇପାରୁନଥିବା ବିଷୟରେ କହନ୍ତି। ତାଙ୍କର ସମର୍ଥନ ସର୍ବଦା ଥିଲା ଏବଂ ଏବେ ବି ରହିଛି। ସଲମାନ ଭାଇଙ୍କୁ ମୁଁ ସେଲିବ୍ରିଟି ଭଳି ଦେଖେ ନାହିଁ। ସେ ଆମ ପରିବାରର ସଦସ୍ୟ ଭଳି।”