କିବ୍ : ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଯୁକ୍ତିତର୍କକୁ ସମଗ୍ର ବିଶ୍ୱ ଦେଖିଥିଲା । ଟ୍ରମ୍ପ୍ ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ, ସେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ଏବଂ ତାଙ୍କ କାର୍ଯ୍ୟ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇଥାନ୍ତା। ଏହାର ଜବାବରେ ଜେଲେନସ୍କି ଆମେରିକା ସହ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତି ସ୍ୱାକ୍ଷର ନକରି ଚାଲିଯାଇଥିଲେ।
ଏବେ ଏହାର ଜବାବ ରଖିଛନ୍ତି ଜେଲେନସ୍କି । ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥ ନ ପାଇବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି, କିନ୍ତୁ ଆମଠାରୁ ଅଧିକ କେହି ଶାନ୍ତି ଚାହାଁନ୍ତି ନାହିଁ। ଆମେ ୟୁକ୍ରେନରେ ଯୁଦ୍ଧ ଭିତରେ ରହୁଛୁ । ରାଷ୍ଟ୍ରପତି ରୋଲାଲଡ୍ ରେଗାନ୍ ଥରେ କହିଥିଲେ ଯେ ଶାନ୍ତି କେବଳ ଯୁଦ୍ଧର ଅନୁପସ୍ଥିତି ନୁହେଁ। ଆମେ ସମସ୍ତଙ୍କ ପାଇଁ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି - ସ୍ୱାଧୀନତା, ନ୍ୟାୟ ଏବଂ ମାନବିକ ଅଧିକାର ବିଷୟରେ କହୁଛୁ । ପୁଟିନଙ୍କ ସହ ୟୁକ୍ରେନ ଅସ୍ତ୍ରବିରତି କରିବ ନାହିଁ । ଗତ ୧୦ ବର୍ଷ ମଧ୍ୟରେ ୨୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରକୃତ ଶାନ୍ତି ହିଁ ଏକମାତ୍ର ସମାଧାନ।
ଭୋଲୋଦିମିର ଜେଲେନସ୍କି କହିଛନ୍ତି, ରୁଷକୁ ନେଇ ୟୁକ୍ରେନର ରଣନୀତିକୁ ମୁଁ ବଦଳାଇ ପାରିବି ନାହିଁ। ରୁଷ୍ ଆମର ଶତ୍ରୁ, ସେମାନେ ଆମକୁ ହତ୍ୟା କରୁଛନ୍ତି ଏବଂ ଏହା ହେଉଛି ବାସ୍ତବତା ଯାହାଆମେ ସାମ୍ନା କରୁଛୁ । ୟୁକ୍ରେନ ଶାନ୍ତି ଚାହୁଁଛି, କିନ୍ତୁ ଏହା ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ହେବା ଆବଶ୍ୟକ । ସେଥିପାଇଁ ଆମକୁ ଆଲୋଚନା ଟେବୁଲରେ ଦୃଢ଼ ହେବାକୁ ପଡ଼ିବ। ଶାନ୍ତି ସେତେବେଳେ ହିଁ ଆସିପାରିବ ଯେତେବେଳେ ଆମର ସୁରକ୍ଷା ଗ୍ୟାରେଣ୍ଟି ରହିବ, ଯେତେବେଳେ ଆମସେନା ଶକ୍ତିଶାଳୀ ହେବ ଏବଂ ଆମର ସହଯୋଗୀମାନେ ଶକ୍ତିଶାଳୀ ହେବେ।