କିବ୍: ୟୁକ୍ରେନ ଉପରେ ରୁଷ୍ର ସେନାର ଆକ୍ରମଣ ଏବେ ତୃତୀୟ ସପ୍ତାହରେ ପହଞ୍ଚି ସାରିଛି। ୟୁକ୍ରେନର ଏକାଧିକ ସହର ରୁଷ୍ ସେନାର ଆକ୍ରମଣରେ ଛାରଖାର ହୋଇଗଲାଣି। ଦୁଇ ଦେଶ ମଧ୍ୟରେ ପୂର୍ବରୁ ୪ ଥର ଆଲୋଚନା ହୋଇଥିଲେ ମଧ୍ୟ ଯୁଦ୍ଧ ଏପର୍ଯ୍ୟନ୍ତ ଥମିନାହିଁ। ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲ୍ଡିମିର୍ ଜେଲେନ୍ସ୍କି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ମାମଲାରେ ମଧ୍ୟସ୍ଥ ହେବାପାଇଁ ଜେଲେନ୍ସ୍କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍କୁ ପ୍ରସ୍ତାବ ଦେଇଛନ୍ତି। ଇସ୍ରାଏଲରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ୟୁକ୍ରେନ୍ ଉପରେ ରୁଷ୍ର ଅନ୍ୟାୟ ଆକ୍ରମଣର ବିରୋଧ କରିବା ପାଇଁ ଶୁକ୍ରବାର ଇସ୍ରାଏଲ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଇସ୍ରାଏଲ ସରକାର ୟୁକ୍ରେନ୍ର ଶରଣାର୍ଥୀମାନଙ୍କୁ ଅଧିକ ସଂଖ୍ୟାରେ ଗ୍ରହଣ କରିବା, ମସ୍କୋ ବିରୋଧରେ କଟକଣା ଲଗାଇବା, ୟୁକ୍ରେନ୍କୁ ପ୍ରତିରକ୍ଷା ସରଞ୍ଜାମ ପଠାଇବା ଏବଂ ସର୍ବୋପରି ଦୁର୍ଗତି ସମୟରେ ୟୁକ୍ରେନ୍ବାସୀଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଇସ୍ରାଏଲ ସରକାର ରୁଷ୍ର ୟୁକ୍ରେନ୍ ଆକ୍ରମଣକୁ ନିନ୍ଦା କରିବା ସହ ୟୁକ୍ରେନ୍କୁ ମାନବିକ ସହାୟତା ପ୍ରଦାନ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ମାର୍ଚ୍ଚ ୫ରେ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କୁ ଭେଟିଥିଲେ ଏବଂ ମଧ୍ୟସ୍ଥତା କରିବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ ବି ଅନକ ଥର କଥାବାର୍ତ୍ତା କରିଥିଲେ। ଗତ ମଙ୍ଗଳବାର ଇସ୍ରାଏଲ କହିଥିଲା ଯେ, ସେ ୫୦୦୦ ନୂତନ ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଗ୍ରହଣ କରିବାକୁ ରାଜି ଅଛି। ଏଥି ସହ ଯୁଦ୍ଧ ପୂର୍ବରୁ ଯେଉଁ ୨୦,୦୦୦ ୟୁକ୍ରେନୀୟ ଇସ୍ରାଏଲରେ ପହଞ୍ଚିଛନ୍ତି ସେମାନଙ୍କୁ ମଧ୍ୟ ଅସ୍ଥାୟୀଭାବେ ରହିବାକୁ ଅନୁମତି ଦିଆଯିବ।