ୱାସିଂଟନ: ହ୍ବାଇଟ୍‌ହାଉସ୍‌ରେ ସବୁ କିଛି ଠିକ୍‌ଠାକ୍ ଚାଲିଥିବା ପରି ମନେ ହେଉଥିଲା। ତା’ପରେ ଡୋନାଲ୍ଡ ଟ୍ରମ୍ପ ଓ ବୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ କଥାବାର୍ତ୍ତାରେ କିଛି ଭୁଲ୍‌ଭାଲ୍ ହୋଇଗଲା। କିଛି ମିନିଟ୍ ମଧ୍ୟରେ ଶାନ୍ତି କଥାବାର୍ତ୍ତାରେ ଅଶାନ୍ତି ପଶିଗଲା ଯାହା କିବ୍‌ର ଭାଗ୍ୟକୁ ସୂତାଖିଅରେ ଝୁଲାଇ ଦେଇଛି। ଏହି ସଂଘର୍ଷ ସାମ୍ନାକୁ ଆସିବା ପରେ ଆମେରିକାରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ ଓକ୍ସାନା ମାର୍କାରୋଭାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ୧୨ ସେକେଣ୍ଡର ଏହି ଭିଡିଓରେ ସେ ମୁହଁକୁ ହାତରେ ଘୋଡ଼ାଇ ମୁଣ୍ଡ ନୁଆଁଇ ବସିଥିବାର ଦେଖିବାକୁ ମିଳିଛି। 

Advertisment

ହ୍ୱାଇଟ୍ ହାଉସ୍‌ର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଡାନ୍ ସ୍କାଭିନୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ସେୟାର କରି ଜେଲେନସ୍କିଙ୍କୁ ‘ସମ୍ପୂର୍ଣ୍ଣ ବିପର୍ଯ୍ୟୟ’ ବୋଲି କହିଛନ୍ତି। ଭାନ୍ସ ଅଭିଯୋଗ କରିଥିଲେ ଯେ ୟୁକ୍ରେନ ନେତା ମସ୍କୋ ସହିତ ‘କୂଟନୀତି’ ପାଇଁ ତାଙ୍କ ଆହ୍ୱାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମେରିକାର ସମର୍ଥନ ପାଇଁ ଜେଲେନସ୍କି ‘କୃତଜ୍ଞ’ ନୁହନ୍ତି। ମୁଁ ଭାବୁଛି ଓଭାଲ ଅଫିସକୁ ଆସି ଜେଲେନସ୍କି ଆମେରିକୀୟ ଗଣମାଧ୍ୟମ ସାମ୍ନାରେ ଆମେରିକାର ଭୂମିକା ଉପରେ ପ୍ରଶ୍ନ ଉଠାଇବା ଅପମାନଜନକ। ଜେଲେନସ୍କିଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପ କହିଥିଲେ, ଆପଣ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଆପଣ ତୃତୀୟ ବିଶ୍ୱଯୁଦ୍ଧ ସହ ଜୁଆ ଖେଳୁଛନ୍ତି ଏବଂ ଆପଣ ଯାହା କରୁଛନ୍ତି ତାହା ଏହି ଦେଶ ପ୍ରତି ଅତ୍ୟନ୍ତ ଅପମାନଜନକ। ଜେଲେନସ୍କିଙ୍କ ସ୍ୱର ଉପରକୁ ଉଠିବାରୁ କ୍ରୋଧିତ ହୋଇ ଟ୍ରମ୍ପ ତାଙ୍କ ଆଡ଼କୁ ଆଙ୍ଗୁଠି ଟେକିଥିଲେ। ଗୋଟିଏ ସମୟରେ ସେ ନିଜ କଥା କହିବା ବେଳେ ଜେଲେନସ୍କିଙ୍କ ହାତକୁ ହାଲୁକା ଭାବେ ଧକ୍କା ଦେଇଥିଲେ।