ଜେଲେନସ୍କି ୱାଣ୍ଟେଡ୍ ତାଲିକାରେ, ରହିଛି ବହୁ ଦେଶର ନେତାଙ୍କ ନାମ: ପୁଟିନଙ୍କ ମାଷ୍ଟର ପ୍ଲାନ୍ ନେଇ ଚର୍ଚ୍ଚା

ମସ୍କୋ : ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ୱାଣ୍ଟେଡ୍ ତାଲିକାରେ ସ୍ଥାନୀତ କରିଛି। ଏ ବାବଦରେ ଆଉ କୌଣସି ବିବରଣୀ ଦିଆଯାଇ ନାହିଁ। ରୁଷର ସରକାରୀ ସମ୍ବାଦ ଏଜେନ୍ସି ଟିଏଏସଏସ ଗୃହ ମନ୍ତ୍ରଣାଳୟର ଡାଟାବେସ୍ ଆଧାରରେ ଏହି ସୂଚନା ଦେଇଛି। ଏହି ତାଲିକାରେ ବହୁ ଦେଶର ନେତାଙ୍କ ନାମ ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମାଷ୍ଟର ପ୍ଲାନ୍ କ’ଣ ସେ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଫେବୃଆରୀ ୨୦୨୨ ରେ ୟୁକ୍ରେନ ସହିତ ବିବାଦ ଆରମ୍ଭ ହେବା ପରଠାରୁ ରୁଷିଆ ୟୁକ୍ରେନ ଏବଂ ଅନ୍ୟ ୟୁରୋପୀୟ ରାଜନେତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲା। ଫେବୃଆରୀରେ ରୁଷିଆ ପୋଲିସ୍ ଇଷ୍ଟୋନିଆର ପ୍ରଧାନମନ୍ତ୍ରୀ କାଜା କାଲାସ୍, ଲିଥୁଆର ସଂସ୍କୃତି ମନ୍ତ୍ରୀଙ୍କୁ ଏହି ତାଲିକାରେ ସ୍ଥାନିତ କରିଥିଲା।

ରୁଷିଆ ୟୁକ୍ରେନର ଖାର୍କିଭ ଏବଂ ନିପ୍ରୋ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଆକ୍ରମଣରେ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ବାଣିଜ୍ୟିକ ଏବଂ ଆବାସିକ ଅଟ୍ଟାଳିକାକୁ ଟାର୍ଗେଟ କରାଯାଉଛି। ସମସ୍ତ ୧୩ ଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା ୟୁକ୍ରେନ ବାୟୁସେନା ଦାବି କରିଛି।

ରୁଷିଆ କହିଛି ଯେ କ୍ରିମିଆ ଉପରେ ଲକ୍ଷ୍ୟଭେଦ କରିବାକୁ ଯାଉଥିବା ୟୁକ୍ରେନ ଦ୍ୱାରା ନିର୍ମିତ ଚାରିଟି ଦୂରଗାମୀ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦିଆଯାଇଛି। ଆର୍ମି ଟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍ ଦ୍ବାରା ଏହା ସମ୍ପନ୍ନ ହୋଇଛି। ଏସବୁ କ୍ଷେପଣାସ୍ତ୍ରକୁ ୟୁକ୍ରେନକୁ ଆମେରିକା ଦେଇଛି।

ଗତ ସପ୍ତାହରେ ରୁଷିଆର ବିମାନ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ୧୫ ଟି କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି ବୋଲି ରୁଷିଆ କହିଛି। ଡ୍ରୋନ ଫୁଟେଜରୁ ଜଣାପଡିଛି ୟୁକ୍ରେନର ଓଚେରାଟିନ ଗ୍ରାମ ଯୁଦ୍ଧ ଦ୍ୱାରା ଧ୍ୱଂସ ହୋଇଯାଇଛି। ରୁଷିଆର ସୈନ୍ୟମାନେ ଏହି ଅଞ୍ଚଳରେ ଆଗୁଆ ରହି କିଭ୍ ସେନାଙ୍କ ଉପରେ ଆକ୍ରମଣ କରୁଛନ୍ତି। ୟୁକ୍ରେନର ସୈନ୍ୟବାହିନୀ ସ୍ୱୀକାର କରିଛନ୍ତି ରୁଷିଆ ସେନା ଓଚେରାଟିନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି, କିନ୍ତୁ ଯୁଦ୍ଧ ଜାରି ରହିଛି।

ସମ୍ବନ୍ଧିତ ଖବର