ରୁଷ ଅପହରଣ କରିଥିବା ମେୟରଙ୍କୁ ତୁରନ୍ତ ଛାଡ଼ିବାକୁ କହିଲେ ୟୁକ୍ରେନ ରାଷ୍ଟ୍ରପତି

କିବ୍‌: ଶୁକ୍ରବାର ଦିନ ରୁଷୀୟ ସୈନିକମାନେ ଦକ୍ଷିଣ ୟୁକ୍ରେନ୍‌ ସହର ମିଲିଟୋପୋଲ୍‌ ଦଖଲ କରି ସେଠାକାର ମେୟର୍‌ଙ୍କୁ ଅପହରଣ କରି ନେଇଥିଲେ। ଏ ବିଷୟରେ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଏବଂ ୟୁକ୍ରେନୀୟ ସରକାରୀ ଅଧିକାରୀମାନେ ସୂଚନା ଦେଇଥିଲେ। ଟୁଇଟର୍‌ରେ ୟୁକ୍ରେନୀୟ ପାର୍ଲାମେଣ୍ଟ୍‌ କହିଥିଲା ଯେ, ଦଖଲକାରୀ ସୈନିକମାନଙ୍କର ଏକ ୧୦ଜଣିଆ ଦଳ ମି‌ଲିଟୋପୋଲ୍‌ର ମେୟର୍‌ ଆଇଭାନ୍‌ ଫେଦୋରୋଭ୍‌ଙ୍କୁ ହରଣଚାଳ କରି ନେଇଛନ୍ତି।

ତେବେ ଅପହରଣ ଖବର ଦେବା ପରେ ଏବେ ମେୟର୍‌ଙ୍କୁ ଫେରାଇବାକୁ ଦାବି କରିଛନ୍ତି ଜେଲେନସ୍କି। ସେ କହିଛନ୍ତି ଯେ, ରୁଷ ଏବେ ଆତଙ୍କବାଦର ଏକ ନୂତନ ପର୍ଯ୍ୟାୟ ଦେଇ ଗତି କରୁଛି। ମେୟରଙ୍କୁ ଅପହରଣ କରିବା ହେଉଛି ଏହାର ଏକ ବଡ଼ ଉଦାହରଣ। ମିଲିଟୋପୋଲ୍‌ ତାଙ୍କୁ ମୁକ୍ତ କରିବାକୁ ଦାବି କରୁଛି ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତେବେ ଯୋଗାଣ ସମସ୍ୟା ବୁଝାଶୁଝା କରିବା ନିମନ୍ତେ ସହରର ‘କ୍ରାଇସିସ୍‌ ସେଣ୍ଟର୍‌’ରେ ଥିବାବେଳେ ମେୟର୍‌ଙ୍କୁ ଅପହରଣ କରିନିଆଯାଇଥିଲା। ଶୁକ୍ରବାର ରାତିରେ ଭିଡିଓ ବାର୍ତ୍ତା ଦେଇ ଜେଲେନ୍‌ସ୍କି ଉପରୋକ୍ତ ଅପହରଣ କଥାକୁ ସୁନିଶ୍ଚିତ କରିବା ସହିତ କହିଥିଲେ, ମେୟର୍‌ ଫେଦୋରୋଭ୍‌ ସାହସର ସହ ୟୁକ୍ରେନ୍‌ ତଥା ତାଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ବିପଦରୁ ରକ୍ଷା କରିଛନ୍ତି। ବାସ୍ତବିକ୍‌ ଏହା ହେଉଛି (ଅପହରଣ) ଆକ୍ରମଣକାରୀଙ୍କ ଦୁର୍ବଳତାର ଲକ୍ଷଣ। ସେମାନେ ଆତଙ୍କର ଗୋଟାଏ ନୂଆ ସ୍ତରକୁ ଯାଇ ଆଞ୍ଚଳିକ ୟୁକ୍ରେନୀୟ ଜନପ୍ରତିନିଧିମାନଙ୍କୁ ପ୍ର‌ତ୍ୟକ୍ଷଭାବେ ନିଃଶେଷ କରିବାକୁ ଉଦ୍ୟମ କରୁଛନ୍ତି। ତେଣୁ, ମିଲିଟୋପୋଲ୍‌ର ମେୟର୍‌ଙ୍କୁ ଧରିବା ଗୋଟାଏ ଅପରାଧ। ଏ ଅପରାଧ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ‌ବିରୋଧରେ ନୁହେଁ, ଗୋଟାଏ ନିର୍ଦ୍ଦିଷ୍ଟ୍‌ ସମ୍ପ୍ରଦାୟ ବିରୋଧରେ ନୁହେଁ, ଖାଲି ୟୁକ୍ରେନ୍‌ ବିରୋଧରେ ନୁହେଁ। ଏହା ଗଣତନ୍ତ୍ର ବିରୋଧରେ ଅପରାଧ। ରୁଷୀୟ ଆକ୍ରମଣକାରୀଙ୍କ କାମ ସବୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀମାନଙ୍କ କାର୍ଯ୍ୟ ସହ ସମାନ।

ସମ୍ବନ୍ଧିତ ଖବର