ୟୁରୋପରେ ଥିବା ରୁଷୀୟ ପ୍ରାଚୀରକୁ ଭାଙ୍ଗିଦିଅନ୍ତୁ : ସହାୟତା ପାଇଁ ଜର୍ମାନିକୁ ଜେଲେନସ୍କିଙ୍କ ଆକୁଳ ନିବେଦନ

କିବ୍ : ବୁଧବାର ସହାୟତା ପାଇଁ ଆମେରିକାକୁ ନିବେଦନ କରିବା ପରେ ଆଜି ଜର୍ମାନିକୁ ସହାୟତା ମାଗିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ଜର୍ମାନିର ସାଂସଦମାନଙ୍କୁ ଆହ୍ବାନ ଜଣାଇ ସେ କହିଛନ୍ତି ଯେ ଆଉ ଏକ ପ୍ରାଚୀରକୁ ଭାଙ୍ଗିବାକୁ ଜର୍ମାନି ଆଗେଇଆସୁ ।

“ଏହା ଏକ ବର୍ଲିନ ପ୍ରାଚୀର ନୁହେଁ, ବରଂ ସମଗ୍ର ମଧ୍ୟ ୟୁରୋପରେ ସୃଷ୍ଟି ହୋଇଥିବା ରୁଷ ପ୍ରାଚୀର- ସ୍ବାଧୀନତା ଓ ଦାସତ୍ବ ମଧ୍ୟରେ ଥିବା ପ୍ରାଚୀର । ରୁଷର ପ୍ରତି ବୋମାବର୍ଷଣ ସହ ଏହି ପ୍ରାଚୀର ଆହୁରି ଉଚ୍ଚା ହୋଇଚାଲିଛି  । ମିଃ ସ୍କୋଲଜ୍ ( ଜର୍ମାନ ଚ୍ୟାନସେଲର ଓଲାଫ ସ୍କୋଲଜ୍) ! ଏହି ପ୍ରାଚୀରକୁ ଭାଙ୍ଗିଦିଅନ୍ତୁ ।” ବୋଲି ଜେଲେନସ୍କି କହିଛନ୍ତି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୨୨ତମ ଦିନରେ ପହଞ୍ଚିଥିବାବେଳେ ନିଜର ଲକ୍ଷ୍ୟ ହାସଲ କରିପାରିନାହିଁ । ଫଳରେ ଦିନକୁ ଦିନ ଅଧିକ ଭୟଙ୍କର ଆକ୍ରମଣ କରିଚାଲିଛି ରୁଷ ସେନା । ରୁଷର ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ପ୍ରମୁଖ ସହର ଜଳୁଛି । ଫଳରେ ଦିନକୁ ଦିନ ଅଧିକ ଅସହାୟ ହୋଇପଡ଼ୁଛି ୟୁକ୍ରେନ । ସହାୟତା ପାଇଁ ବିଭିନ୍ନ ଦେଶକୁ ଆକୁଳ ନିବେଦନ କରିଚାଲିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । କିନ୍ତୁ ବିଶ୍ବର ଶକ୍ତିଶାଳୀ ଦେଶମାନେ କେବଳ କଥାରେ ୟୁକ୍ରେନକୁ ସହାୟତା କରିଚାଲିଛନ୍ତି, କିନ୍ତୁ ପ୍ରକୃତ ସହାୟତା ପାଇଁ କେହି ଆଗେଇ ଆସୁନାହାନ୍ତି ।

 

ସମ୍ବନ୍ଧିତ ଖବର