ମୁଁ ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ, ହେଲେ ବିଫଳ ହେଲେ ଏହା ତୃତୀୟ ବିଶ୍ବଯୁଦ୍ଧ ହେବ: ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ଦିନକୁ ଦିନ ବୃଦ୍ଧି କରିବାରେ ଲାଗିଛି ରୁଷ। ପୂର୍ବରୁ ବୋମା ମାଡ଼ ସହ ଏୟାରଷ୍ଟ୍ରାଇକ କରିଥିବା ବେଳେ ଆଜି ରୁଷ ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି।। ଏହାକୁ ଦେଖି ଗତ ୨୫ଦିନ ଧରି ଚାଲିଥିବା ଯୁଦ୍ଧ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ଦାବି କରିଛି ଯେ, ପୁଣି ଥରେ ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଏମଧ୍ୟରେ ବର୍ତ୍ତମାନର ସ୍ଥିତିକୁ ଦେଖି ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବା ପାଇଁ ରାଜି ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ହେଲେ ଆଲୋଚନା ବିଫଳ ହେଲେ ଚାଲୁଥିବା ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧ ହେବ ବୋଲି ସେ କହିଛନ୍ତି।

ତାଙ୍କ କହିବା ମୁତାବକ, ମୁଁ ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ମୁଁ ଗତ ଦୁଇ ବର୍ଷ ହେଲା ପ୍ରସ୍ତୁତ ଥିଲି। ମୁଁ ଭାବୁଛି ଯେ କଥାବାର୍ତ୍ତା ବିନା ଆମେ ଏହି ଯୁଦ୍ଧକୁ ଶେଷ କରିପାରିବୁ ନାହିଁ। ପୁଟିନଙ୍କ ସହ ଯଥା ସମ୍ଭବ ଆଲୋଚନା ପାଇଁ ଆମେ ଚେଷ୍ଟା କରିବୁ। କିନ୍ତୁ ଯଦି ଏହି ପ୍ରୟାସ ବିଫଳ ହୁଏ, ତେବେ ଚାଲୁଥିବା ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧ ହେବ।

indiatoday

ତେବେ ଯୁଦ୍ଧର ସ୍ଥିତି ବିଷୟରେ କହିବାକୁ ଗଲେ ରୁଷ ପୁଣି ଥରେ ଆଜି ୟୁକ୍ରେନରେ ଥିବା ବିଦ୍ୟାଳୟକୁ ଟାର୍ଗେଟ କରିଛି। ୟୁକ୍ରେନ ଦାବି କରିଛି ଯେ ମାରିଉପୋଲ ସହରରେ ଥିବା ଏକ ବିଦ୍ୟାଳୟରେ ଉପରେ ବୋମା ମାଡ଼ କରିଛି ରୁଷ । ଯୁଦ୍ଧ ହେତୁ ପ୍ରାୟ ୪୦୦ ଲୋକ ଏହି ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ। ଆକ୍ରମଣ ପରଠାରୁ କାହାର କୌଣସି ପତ୍ତା ମିଳିପାରିନାହିଁ। ଲୋକମାନେ ବିଦ୍ୟାଳୟ କୋଠାର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି।

ସମ୍ବନ୍ଧିତ ଖବର