ବିହାର ପରେ ରାଜସ୍ଥାନକୁ ବ୍ୟାପୁଛି ଜିକା ସଂକ୍ରମଣ; ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରିପୋର୍ଟ ମାଗିଲା

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁର ଓ ନିକଟବର୍ତ୍ତୀ ଅଞ୍ଚଳରେ ଜିକା ଭାଇରସ ସଂକ୍ରମଣ ହେଉଥିବା ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଛି। ଜୟପୁରରେ ପ୍ରାୟ ୨୨ଜଣଙ୍କ ଠାରେ ପରୀକ୍ଷା ପରେ ଜିକା ଭାଇରସ ସଂକ୍ରମଣ ରହିଥିବା ଖବର ମିଳିବା ପରେ ତତ୍ପରତା ପ୍ରଦର୍ଶନ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଉଲ୍ଲେଖଯୋଗ୍ୟ ଜିକା ସଂକ୍ରମଣ ଫଳରେ ଗର୍ଭସ୍ଥ ଭ୍ରୁଣ ଆକ୍ରାନ୍ତ ହୋଇଥାଏ ଏବଂ ରୋଗାକ୍ରାନ୍ତ ଶିଶୁ ଜନ୍ମ ନିଏ।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜିକା ସଂକ୍ରମଣ ରହିଥିବା ସ୍ପଷ୍ଟ କରିଛି। ଇଣ୍ଡିଆନ୍‌ କାଉନ୍ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଅନୁସନ୍ଧାନ ଦ୍ୱାରା ଜିକା ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଛି।

www.financialexpress.com

ଏକ ୭ ଜଣିଆ ଉଚ୍ଚକ୍ଷମତା ସଫଳ ବିଶେଷଜ୍ଞ ଦଳକୁ ଜୟପୁର ପଠାଯାଇଛି। ଏହି ଦଳ ଜିକା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ଦିଗରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ମତ ଦେଇଛନ୍ତି। ଗତ ୫ ତାରିଖରୁ ଏହି କେନ୍ଦ୍ରୀୟ ବିଶେଷଜ୍ଞ ଦଳ ରାଜସ୍ଥାନରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଜିକା ଭାଇରସ୍‌ ଆକ୍ରନ୍ତ ମୁଖ୍ୟତଃ ବିହାରର ସିଓ୍ଵାନ ଅଞ୍ଚଳର ବାସିନ୍ଦା ବୋଲି ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଜନୈକ ସିଓ୍ଵାନ ବାସିନ୍ଦା ଜୟପୁରରେ ରହି ପଢାପଢି କରୁଥିଲେ ଓ ସେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ସିଓ୍ଵାନରେ ଥିଲେ। ତାଙ୍କ ଠାରୁ ଜିକା ସଂକ୍ରମଣ ଆରମ୍ଭ ହୋଇଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ବିହାରର ୩୮ଟି ଜିଲ୍ଲାକୁ ଜିକା ସଂକ୍ରମଣ ସଂପର୍କିତ ସତର୍କ ସୂଚନା ରାଜ୍ୟ ସରକାର ଜାରି କରିଛନ୍ତି। ବିହାରରେ ଜିକା ଭାଇରସ ସଂକ୍ରମଣ ଘଟଣା ସାମ୍ନାକୁ ଆସିଛି। ବିହାରରୁ ଏହି ସଂକ୍ରମଣ ରାଜସ୍ଥାନକୁ ବ୍ୟାପିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର