ଜିନ୍ଦ୍ ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର

ଜିନ୍ଦ୍: ହରିୟାଣାର ଜିନ୍ଦରେ ଆସନ୍ତାକାଲି ହେବାକୁ ଥିବା ବିଧାନସଭା ଉପନିର୍ବାଚନ ଉପରେ ଏବେ ସବୁ ଦଳଙ୍କ ନଜର ରହିଛି। ଷ୍ଟାର୍‌ ପ୍ରଚାରକମାନେ ଜିନ୍ଦ୍‌ରେ ଜୋର୍‌ଦାର ପ୍ରଚାର କରିଛନ୍ତି। ଜିନ୍ଦରେ ୧.୭ ଲକ୍ଷ ଭୋଟର୍‌ ଚଳିତ ଉପନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏପିଲ୍‌ ସୁଦ୍ଧା ଲୋକସଭା ନିର୍ବାଚନ ହେଉଥିବା ବେଳେ ଜିନ୍ଦ୍‌ରେ ବିଜୟ କଂଗ୍ରେସ ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । କଂଗ୍ରେସ ନିଜର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କୁ ପ୍ରାର୍ଥୀ କରାଇବା ପରେ ଏଠାରେ ଲଢ଼େଇ ଜୋର୍‌ଦାର ହୋଇଛି। ଏହି ଆସନର ବିଧାୟକ ହରି ଚାନ୍ଦଙ୍କ ପରଲୋକ ଯୋଗୁଁ ତାଙ୍କ ପୁଅ କ୍ରିଷ୍ଣା ଚାନ୍ଦ ମିଦ୍ଧାଙ୍କୁ ଏଠାରେ ବିଜେପି ପ୍ରାଥୀ କରାଇଛି। ହରି ଚାନ୍ଦ ଆଇଏନ୍‌ଏଲ୍‌ଡିରୁ ବିଧାୟକ ଥିଲେ। କିନ୍ତୁ ତାଙ୍କ ପରଲୋକ ପରେ କ୍ରିଷ୍ଣା ଚାନ୍ଦ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହେଇଥିବାରୁ ଏହି ଧାରାକୁ ବଜାୟ ରଖିବା ପାଇଁ କଂଗ୍ରେସ ଏହି ଆସନରେ ସବୁ ଶକ୍ତି ଖଟାଇଛି। ୨୦୧୪ରେ ମୋଦୀ ଲହର ସତ୍ତ୍ବେ ଜିନ୍ଦ୍‌ରେ ବିଜେପିର ପରାଜୟ ଘଟିଥିଲା। ତେଣୁ ଏବେ କ୍ରିଷ୍ଣା ଚାନ୍ଦଙ୍କୁ ପ୍ରାର୍ଥୀ କରି ବିଜେପି ଏହି ଉପନିର୍ବାଚନରେ ବିଜୟ ହାସଲ କରିବାକୁ ଆଶା ରଖିଛି। ଏହି ଆସନରେ ଆଇଏନ୍ଏଲ୍‌ଡିରୁ ଉମିଦ୍‌ ରେଧୁ ପ୍ରାର୍ଥୀ ହୋଇଥିବା ବେଳେ ‌ଜନନାୟକ ଜନତା ପାର୍ଟିରୁ ଦୁଶ୍ୟନ୍ତ ଚୌତାଲା ପ୍ରାର୍ଥୀ ହୋଇଛନ୍ତି। ହରିୟାଣାର ବିଜେପି ସରକାରର ବହୁ ମନ୍ତ୍ରୀ ଜିନ୍ଦରେ ଡେରା ପକାଇଥିବା ବେଳେ ଆସନ୍ତାକାଲି ମତଦାନ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି।

ସମ୍ବନ୍ଧିତ ଖବର