ଫ୍ୟାଶନ ଷ୍ଟାର୍ଟଅପର ସହ ପ୍ରତିଷ୍ଠାତାଙ୍କୁ ମିଳୁଛି ଦୁଷ୍କର୍ମ ଧମକ

ମୁମ୍ବାଇ: ସିଙ୍ଗାପୁରର ଫ୍ୟାଶନ ଷ୍ଟାର୍ଟଅପ୍ ଜିଲିଙ୍ଗୋରୁ ବରଖାସ୍ତ ହୋଇଥିବା କମ୍ପାନିର ସହ-ପ୍ରତିଷ୍ଠାତା ତଥା ସିଇଓ ଅଙ୍କିତି ବୋଷଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଛି। ବାରମ୍ବାର ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଉଥିବାରୁ ଅଙ୍କିତି ବୋଷ ସିଙ୍ଗାପୁର କୋର୍ଟରୁ ସୁରକ୍ଷା ଲୋଡିଛନ୍ତି। ସୂଚନା ଥାଉ କି ଯେ ଆର୍ଥିକ ଅନିୟମିତତା ହେତୁ ନିକଟରେ ଜିଲିଙ୍ଗୋରୁ ଅଙ୍କିତିଙ୍କୁ ବରଖାସ୍ତ କରାଯାଇଥିଲା । ଜିଲିଙ୍ଗୋ କମ୍ପାନି ଅନୁଯାୟୀ, ବୋଷଙ୍କୁ ନିଲମ୍ବନ କରିବାର ନିଷ୍ପତ୍ତି କୌଣସି ନିବେଶକ ନେଇନାହାନ୍ତି ବରଂ ବୋର୍ଡ ଦ୍ୱାରା ମିଳିତ ଭାବେ ନିଆଯାଇଛି |

କମ୍ପାନିର ସହ-ପ୍ରତିଷ୍ଠାତା ଅଙ୍କିତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି – ମୋର ବ୍ୟକ୍ତିଗତ ଫଟୋ, ଚାଟ୍, ଡକ୍ୟୁମେଣ୍ଟ୍, ରେକର୍ଡଗୁଡିକ ମୋ ସମ୍ମତି ବିନା ଭୁଲ୍ ଭାବରେ ନିଆଯାଇଛି | ଏହା ଇଣ୍ଟରନେଟରେ ପ୍ରସାରିତ ହେଉଛି | ଏହା ନକଲି ହୋଇଥିଲେ ବି ଏହା କିଏ ଭାଇରାଲ କରୁଛି ମୁଁ ଜାଣେ ନାହିଁ। ମୁଁ ପୂର୍ବରୁ ଏତେ ମାତ୍ରାରେ ଧମକ କେବେ ପାଇନଥିଲି | ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ଦେବାକୁ ପଡିବ, କିନ୍ତୁ ବର୍ତ୍ତମାନ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟର ସୁରକ୍ଷା ମୋର ପ୍ରାଥମିକତା ରହିଛି |

ଅଙ୍କିତି ଆହୁରି ଲେଖିଛନ୍ତି ଯେ ମୁଁ ଆଇନତଃ ସୁରକ୍ଷା ଦାବି କରୁଛି। ମୁଁ ପ୍ରଥମେ ଏହାକୁ ଅଣଦେଖା କରିବାକୁ ଚେଷ୍ଟା କଲି କିନ୍ତୁ ଦୁଷ୍କର୍ମ ଧମକ ମୋତେ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ କରିଛି | ଅଙ୍କିତି ଦାବି କରିଛନ୍ତି ଯେ କମ୍ପାନି ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ସେ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି। ଯେଉଁ ଆଧାରରେ ତାଙ୍କୁ କମ୍ପାନିରୁ ବରଖାସ୍ତ କରାଯାଇଛି ସେହି ରିପୋର୍ଟକୁ ଦେଖି ନାହାଁନ୍ତି। ଅଙ୍କିତି କହିଛନ୍ତି ଯେଉଁ କମ୍ପାନିକୁ ମୁଁ ପ୍ରତିଷ୍ଠା କରିଥିଲି, ସେହି କମ୍ପାନିର ବୋର୍ଡ ସଦସ୍ୟମାନେ ମୋତେ ଇ-ମେଲ ମାଧ୍ୟମରେ ବରଖାସ୍ତ କରିଛନ୍ତି |

ସମ୍ବନ୍ଧିତ ଖବର