ବେଙ୍ଗାଲୁରୁ: କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଙ୍ଗାଲୁରୁର ଜୋମାଟୋ ଡେଲିଭରି ବୟ କମରାଜ୍ ଅଭିଯୋଗକାରିଣୀ ମହିଳା ହିତେଶ ଚନ୍ଦ୍ରାଣୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଯେଉଁ ପୁଲିସ୍ ଷ୍ଟେସନ୍ରେ ପୂର୍ବରୁ ମହିଳା ଜଣକ ଡେଲଭରି ବୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେହି ସମାନ ପୁଲିସ୍ ଷ୍ଟେସନ୍ରେ ମହିଳାଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଡେଲିଭରି ବୟ କମରାଜ୍।
ବରାଦ ବାତିଲ୍ କରିଦେବାରୁ କମ୍ରାଜ୍ ରାଗରେ ଆସି ମହିଳଙ୍କୁ ଆକ୍ରମଣ କରି ତାଙ୍କ ନାକ ଫଟାଇ ଦେଇଛନ୍ତି ବୋଲି ଚନ୍ଦ୍ରାଣୀ ଏକ ଭିଡିଓ ଜାରି କରି ସୋସିଆଲ୍ ମିଡିଆରେ ଅଭିଯୋଗ ଆଣିବା ପରେ କମରାଜ୍ଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଜାମିନ୍ ମିଳିଛି। ମାତ୍ର କମ୍ରାଜଙ୍କୁ ଅସ୍ଥାୟୀ ଭାବେ ଚାକିରିରୁ ନିଲମ୍ବିତ କରାଯାଇଛି।
ଉଲ୍ଳେଖଯୋଗ୍ୟ, ନିକଟରେ ଫୁଡ୍ ଡେଲିଭରିଂ ସାଇଟ୍ ଜୋମାଟୋର ଜଣେ ଡେଲିଭରି ବୟ ବେଙ୍ଗାଲୁରୁର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଡେଲିଭରି ବୟ ଜଣକ। ସେ କହିଛନ୍ତି ମହିଳା ଜଣକ ପ୍ରଥମେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳାଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଜୋମାଟୋର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ମିଛ ବୋଲି ଅଭିଯୁକ୍ତ ଡେଲିଭରି ବୟ ନିଜ ବୟାନରେ ସଫେଇ ଦେଇଛନ୍ତି।