ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ବିରୋଧରେ ସର୍ବଦା ସ୍ୱର ଉଠାଉଥିବାର ଦେଖାଯାଏ। ସୋସିଆଲ ମିଡିଆ ମାଧ୍ୟମରେ ବିଶେଷ କରି ଟ୍ବିଟରରେ ସେ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ମତ ରଖୁଥିବା ଅତୀତରେ ଦେଖିବାକୁ ମିଳିଛି। ପୀଡିତ ତଥା ନିର୍ଯାତିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସେ ସରକାରଙ୍କ ସାମ୍ନା କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ସବୁବେଳେ ନିର୍ଯାତିତ ମହିଳାଙ୍କ କାହାଣୀ ସେୟାର କରୁଥିବା ସ୍ବାତୀ ମାଲିୱାଲ ଟ୍ୱିଟ କରି ଏବେ ଏକ ଦମ୍ପତିଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପରସ୍ପରକୁ ଦୁହେଁ କିଭଳି ସମର୍ଥନ କରୁଛନ୍ତି, ତା’ର ଏକ ଭିଡିଓ ସେୟାର କରିଛନ୍ତି। ଏହା ସହିତ, କ୍ୟାପସନରେ ଲେଖାଯାଇଛି- 'ତୁ ହେ ତୋ ମୁଝେ ଫିର ଔର କ୍ୟା ଚାହିଏ'। ଏହି ଭିଡିଓ ଗୀତର ମୂଳ ଭିଡିଓ ହେବା ଉଚିତ୍।
“Tu hai to mujhe fir aur kya chahiye”
This should be the official video of the song ❤️ pic.twitter.com/G9MQOnfW9x— Swati Maliwal (@SwatiJaiHind) July 7, 2023
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଏବେ ଲୋକଙ୍କ ମନ କିଣିଛି। ଏଥିରେ ଜଣେ ଜୋମାଟୋ ଡେଲିଭରି ବଏ କାମ ଶେଷ କରି ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ଘରକୁ ଯାଉଛନ୍ତି। ଜୋମାଟୋ ଟି-ସାର୍ଟ ପିନ୍ଧିଥିବା ଯୁବକଜଣକ କୋଳରେ ନିଜ ସନ୍ତାନଙ୍କୁ ଧରିଥିବାବେଳେ ତାଙ୍କ ପତ୍ନୀ ସାଇକେଲ ଧରି ଚାଲୁଛନ୍ତି। ସାଇକେଲ ପଛରେ ଜୋମାଟୋର ଖାଦ୍ୟ ବିତରଣ ବ୍ୟାଗ ରଖାଯାଇଥିବା ଦେଖାଯାଇଛି। ମହିଳାଙ୍କ କାନ୍ଧରେ ଆଉ ଏକ ବ୍ୟାଗ ମଧ୍ୟ ରହିଛି। ପରିବାର ଏବଂ ପିଲାଙ୍କ ପାଇଁ ସାଙ୍ଗ ହୋଇ ପରିଶ୍ରମ କରୁଥିବା ସ୍ୱାମୀ-ସ୍ତ୍ରୀଙ୍କର ଏହି ଭିଡିଓ ଏବେ ଲୋକଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି।
ତେବେ ଏହି ଭିଡିଓଟି କେଉଁ ସ୍ଥାନର ଏବଂ ଦମ୍ପତି କିଏ, ସେ ବିଷୟରେ କୌଣସି ସୂଚନା ମିଳିନାହିଁ।