ଅଲଟନ୍ୟୁଜ ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଗିରଫ

ନୂଆଦିଲ୍ଲୀ : ସତ୍ୟ ଯାଞ୍ଚକାରୀ ଓ୍ବେବସାଇଟ୍ ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଧାର୍ମିକ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଆଇପିସିର ଧାରା ୧୫୩ (ଜାଣିଶୁଣି ଦଙ୍ଗା ଉସୁକାଇବା) ଓ ୨୯୫କ ( ଧାର୍ମିକ ଭାବାବେଗକୁ ଆଘାତ ) ଅନୁସାରେ ଗିରଫ କରାଯାଇଛି ।

ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ବାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସଂପର୍କରେ ସେ ପ୍ରଥମ ଟୁଇଟ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ତାହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଥିଲା । ପରେ ଏହାକୁ ନେଇ ଭାରତରେ ମଧ୍ୟ ସାଂପ୍ରଦାୟିକ ହିଂସା ଦେଖାଯାଇଥିଲା ।

ଏହି ଘଟଣାର କିଛି ଦିନ ପୂର୍ବରୁ ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ ମଧ୍ୟ ସେ ଟୁଇଟ କରିଥିଲେ । ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । ପୂର୍ବରୁ ମଧ୍ୟ ସେ ହିନ୍ଦୁ ଦେବଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣି ଥିବା ଟୁଇଟ କରିଥିଲେ । ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ପ୍ରଫେଟ ବୟାନ ବିବାଦ ଆରମ୍ଭ ହେବା ପରେ ସେ ନିଜର ବିବାଦୀୟ ପୁରୁଣୀ ଟୁଇଟଗୁଡ଼ିକୁ ଡିଲିଟ କରିଦେଇଥିଲେ । ଏହା ସତ୍ତ୍ବେ ତାଙ୍କ ବିରୋଧରେ କେତେକ ରାଜ୍ୟରେ ମାମଲା ରୁଜ୍ଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର