ଗୁଆହାଟୀ: ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନ୍ୟାୟିକ ହାଜତ ପଠାଇବାପରେ ସେମାନଙ୍କୁ ଆସାମର ବକ୍ସା ଜିଲ୍ଲା ଜେଲ୍କୁ ଅଣାଯାଇଥିଲା। ତେବେ ବୁଧବାର ବକ୍ସା ଜେଲ୍ ବାହାରେ ହିଂସାତ୍ମକ ଆନ୍ଦୋଳନ ହୋଇଛି। ଜୁବିନ ଗର୍ଗଙ୍କ ପ୍ରଶଂସକମାନେ ୩ଟି ଗାଡ଼ି ଜାଳି ଦେଇଛନ୍ତି। ଜେଲ୍ ବାହାରେ ରୁଣ୍ଡ ହୋଇଥିବା ଶତାଧିକ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଜଣେ ସାମ୍ବାଦିକଙ୍କ ସମେତ ଅନେକ ପୁଲିସ ଆହତ ହୋଇଛନ୍ତି।
୩ଟି ପୁଲିସ ଗାଡ଼ି ଜାଳିଦେଲେ, ପଥର ମାଡ଼ରେ ଅନେକ ପୁଲିସ ଆହତ
ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିଥିଲା। ଅଭିଯୁକ୍ତଙ୍କୁ ନେଉଥିବା କନ୍ଭୟ ଜେଲ୍ ନିକଟରେ ପହଞ୍ଚିବାପରେ ସ୍ବର୍ଗତ ଗାୟକଙ୍କ ଫ୍ୟାନ୍ମାନେ ଜେଲ୍ ବାହାରେ ରୁଣ୍ଡ ହୋଇ ନ୍ୟାୟ ଦାବି କରିଥିଲେ। କିଛି ଆନ୍ଦୋଳନକାରୀ ଅଭିଯୁକ୍ତଙ୍କୁ ନିଆଯାଉଥିବା ଗାଡ଼ି ଉପରକୁ ପଥର ମାଡ଼ କରିବାଦ୍ବାରା ଉତ୍ତେଜନା ବଢ଼ିଥିଲା। ଉକ୍ତ ଘଟଣା ପରେ ଜେଲ୍ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ, ନ୍ୟାୟିକ ହାଜତ ଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ତଥା ଉତ୍ତର ପୂର୍ବ ଭାରତ ଉତ୍ସବ ପରିଚାଳକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନ୍ଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଅଛନ୍ତି। ଉଭୟ ଅକ୍ଟୋବର ୧ରେ ଗିରଫ ହୋଇଥିଲେ। ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ କୋର୍ଟ ୧୪ ଦିନିଆ ବିଚାରବିଭାଗୀୟ ହାଜତ ପଠାଇଛନ୍ତି।