ଭୁବନେଶ୍ବର : ବଲିଉଡ ଚଳଚ୍ଚିତ୍ର ଜ୍ବିଗାଟୋକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହାସ୍ୟ କଳାକାର କପିଲ ଶର୍ମାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଅଧିକାଂଶ ଭାଗ ଭୁବନେଶ୍ବରରେ ସୁଟିଂ ହୋଇଛି । ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଚଳଚ୍ଚିତ୍ର ପୁରସ୍କାରରେ ପ୍ରସଂଶିତ ହେବା ପରେ ଏବେ ଭାରତରେ ରିଲିଜ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖରେ ସାରା ଦେଶରେ ଏହି ଚଳଚ୍ଚିତ୍ରଟି ରିଲିଜ ହେବ । ନିଜେ କପିଲ୍ ଶର୍ମା ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଅପଲୋଡ କରିବା ସହ ଏହା ୧୭ ମାର୍ଚ୍ଚରେ ରିଲିଜ ହେବ ବୋଲି ଲେଖିଛନ୍ତି ।

Advertisment
View this post on Instagram

A post shared by Kapil Sharma (@kapilsharma)

ଜ୍ବିଗାଟୋର କାହାଣୀ ଏକ ଖାଦ୍ୟ ଡେଲିଭରି ବୟର କାହାଣୀ ଓ ତାହାର ସଂଘର୍ଷ ଉପରେ ପର୍ଯ୍ୟବେଶିତ । କପିଲ ଶର୍ମା ଏହି ଚରିତ୍ରରେ ଅଭିନୟ କରୁଛନ୍ତି । ଓଡ଼ିଶା ପାଇଁ ଏହି ଚଳଚ୍ଚିତ୍ରର ଗୁରୁତ୍ବ ଅଧିକ । କାରଣ ଏହା ଭୁବନେଶ୍ବରରେ ସୁଟିଂ ହୋଇଛି ଓ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜଣେ ଓଡ଼ିଆ ଝିଅ ନନ୍ଦିତା ଦାସ ।

ଚଳଚ୍ଚିତ୍ରରେ ଭୁବନେଶ୍ବରର ରାସ୍ତାଘାଟ, ଫ୍ଲାଏଓଭର, ବଜାର, ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ଆଦି ଅନେକ ପରିଚିତ ସ୍ଥାନ ଦେଖିବାକୁ ମିଳିବ । ଏଣୁ ଏହା ଜାତୀୟ ସ୍ତରରେ ଭୁବନେଶ୍ବରକୁ ଆହୁରି ପରିଚିତ କରାଇବାରେ ସହାୟକ ହେବା ଆଶା କରାଯାଉଛି ।